ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାରେ ନାଁ ନେଉନି । ରୁଷ ୟୁକ୍ରେନର ଅନେକ ସହରରକୁ ଧ୍ୱଂସ ମଧ୍ୟ କରିସାରିଲାଣି । ତଥାପି ୟୁକ୍ରେନ ରୁଷକୁ କଡ଼ା ଜବାବ ଦେବାରେ ଲାଗିଛି । ୟୁକ୍ରେନର କିବ୍, ଖାର୍କିବ, ମାରିୟୁପୋଲ, ସୁମି, ଓଡେଶା ସହର ରୁଷ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଛି। ଆକ୍ରମଣକୁ ୧୧ଦିନ ବିତିଥିଲେ ବି ରୁଷ ଦାବି କରିଛି ଯେ ଏ ମଧ୍ୟରେ ୟୁକ୍ରେନର ୨୨୦୩ ରୁ ଅଧିକ ସାମରିକ ଭିତ୍ତିଭୂମି ନଷ୍ଟ କରାଯାଇଛି। ଏହା ସହିତ ବିପୁଳ ପରିମାଣର ସାମରିକ ଉପକରଣ ମଧ୍ୟ ଟାର୍ଗେଟ କରାଯାଇ ଧ୍ବଂସ କରାଯାଇଛି। ୟୁକ୍ରେନର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏସ-୩୦୦କୁ ମଧ୍ୟ ରୁଷ ଧ୍ୱଂସ କରିଦେଇଥିବା କହିଛି। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ରୁଷ ସଶସ୍ତ୍ର ବାହିନୀ ୟୁକ୍ରେନର ଭୂମି ଉପରେ ରଖାଯାଇଥିବା ୬୯ଟି ବିମାନ ଏବଂ ଆକାଶରେ ଉଡ଼ୁଥିବା ସମୟରେ ୨୧ଟି ବିମାନ ଧ୍ବଂସ କରିଛି।

ଏହା ସହ ୭୪୮ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ସଶସ୍ତ୍ର ଯୁଦ୍ଧ ଯାନ, ୭୬ ରକେଟ ଲଞ୍ଚର, ୨୭୪ ଫିଲ୍ଡ ଆର୍ଟିଲିରି ଏବଂ ମୋର୍ଟାର ଏବଂ ୫୩୨ଟି ସାମରିକ ଯାନକୁ ଧ୍ବଂସ କରିଛି ରୁଷ ସେନା। ଅନ୍ୟପକ୍ଷରେ ରୁଷର ୧୧,୦୦୦ ସୈନ୍ୟ ଯୁଦ୍ଧରେ ମୃତ୍ୟୁବରଣ କରିଥିବା କହିଛି ୟୁକ୍ରେନ । ୟୁକ୍ରେନର ଦାବି ଅନୁଯାୟୀ ମାର୍ଚ୍ଚ ୬ ପର୍ୟ୍ୟନ୍ତ ରୁଷର ୧୧,୦୦୦ସୈନ୍ୟ ମୃତ୍ୟୁବରଣ କରିଛନ୍ତି, ୪୪ବିମାନ, ୪୮ ହେଲିକପ୍ଟର, ୨୮୫ ଟ୍ୟାଙ୍କ, ୨ଟି ଜାହାଜ, ୬୦ଟି ତୈଳ ଟ୍ୟାଙ୍କର ଧ୍ବଂସ ହୋଇଛି।