ଗୋରଖପୁର(ସତ୍ୟପାଠ ବ୍ୟୁରୋ): ମିଥ୍ୟା ପରିଚୟ ପତ୍ର ଦେଇ ଦୀର୍ଘ ୧୬ ବର୍ଷ ଧରି ସରକାରୀ ସ୍କୁଲରେ ଜଣେ ବ୍ୟକ୍ତି ଶିକ୍ଷକ ଭାବରେ କାର୍ଯ୍ୟ କରିଆସୁଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଯୁବକ ଜଣଙ୍କୁ ବରଖାସ୍ତ କରି ଦିଆଯାଇଛି । ତେବେ ବ୍ୟକ୍ତି ଜଣଙ୍କ ୨୦୦୬ ମସିହାରେ ଉତ୍ତରପ୍ରଦେଶ ପ୍ରାଥମିକ ଶିକ୍ଷା ବିଭାଗର ଆଖିରେ ଧୂଳି ପକାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚାକିରି ପାଇଥିଲେ। ଏପରିକି ଦେବେନ୍ଦ୍ର ନାମକ ଏହି ଯୁବକଙ୍କୁ ପଦୋନ୍ନତି ଆଧାରରେ ମୁଖ୍ୟ ମଧ୍ୟ କରାଯାଇଥିଲା। ୧୬ ବର୍ଷ ଧରି ସେ ଏକ ସରକାରୀ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ, କିନ୍ତୁ ମାମଲା ପ୍ରକାଶ ପାଇବା ପରେ ୟୁପି ମୌଳିକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା। ଏପରି ଏକ ଅଭାବନୀୟ ଘଟଣା ଫିରୋଜାବାଦ ଜିଲ୍ଲାର ମଦନପୁରା ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ଅନ୍ୟପଟେ ବ୍ୟକ୍ତି ଜଣକ ନିଜକୁ “ଦେବେନ୍ଦ୍ର କୁମାର” ଭାବରେ ପରିଚିତ କରି ଏହି ଚାକିରି କରିଆସୁଥିଲେ । ଏଥିପାଇଁ ସେ ହାଥ୍ରାସ ଜିଲ୍ଲାରେ ପୋଷ୍ଟ କରାଯାଇଥିବା ସମାନ ନାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ନକଲି ଦଲିଲ ଉପସ୍ଥାପନ କରିଥିଲେ। ଏହାର ସୂଚନା ପାଇବା ପରେ ଏସଟିଏଫ ଏହି ଘଟଣାର ଅନୁସନ୍ଧାନ କରିଥିଲା । ଏବଂ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲା । କେବଳ ଏତିକି ନୁହେଁ ବରଂ ଦୀର୍ଘ ୧୦ ବର୍ଷର ସରକାରୀ ଦରମାକୁ ପୁନରୁଦ୍ଧାର କରିବାକୁ ମଧ୍ୟ ଏସଟିଏଫ ନିର୍ଦ୍ଦେଶ ଦେଇଛି । ଏକ୍ଷବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷ ପାଲଟିଛି ।





