ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଗୱନ୍ତ ମାନ ମହାନ ବିପ୍ଳବୀ ସର୍ଦ୍ଦାର ଭଗତ ସିଂଙ୍କର ଜଣେ ବଡ଼ ପ୍ରଶଂସକ । କାହିଁକିନା ଯେତେବେଳେ ଭଗୱନ୍ତ ମାନ ପ୍ରଥମ ମାରୁତି କାର କିଣିଥିଲେ ସେତେବେଳେ ସେ ପ୍ରଥମେ ସର୍ଦ୍ଦାର ଭଗତ ସିଂଙ୍କ ଗାଁକୁ ଖଟକଡକଲାଂ ଯାଇଥିଲେ ଏବଂ ସେଠାରେ ଭଗତ ସିଂହଙ୍କର ଆର୍ଶୀବାଦ ନେଇ ଯାତ୍ରା ଆରମ୍ଭ କରିଥିଲେ । ଆଉ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସେ ତାଙ୍କ ଜନ୍ମ ମାଟିରେ କରିବାକୁ ଯାଉଛନ୍ତି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଭଗୱନ୍ତ ମାନ ଶହୀଦ ଭଗତ ସିଂହଙ୍କର କେତେବଡ଼ ପ୍ରଶଂସକ । ସେପଟେ ଭଗତ ସିଂହଙ୍କ ଦ୍ୱାରା ଲିଖିତ ପ୍ରତ୍ୟେକ ଶବ୍ଦକୁ ଭାଗୱନ୍ତ ମାନ ପଢ଼ିଥିବାର କହିଛନ୍ତି । ଏପରିକି ତାଙ୍କ ହେତୁ ହିଁ ସେ ରାଜନୀତିରେ ପ୍ରବେଶ କରିଥିଲେ।
ମାନ କହିଛନ୍ତି ଯେ ଯେତେବେଳେ ଭଗବତ ସିଂଙ୍କ ଭଣଜା ଅଭୟ ସିଂ ସନ୍ଧୁ ପୂର୍ବତନ ମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ସହ ପଞ୍ଜାବର ପିପୁଲ୍ସ ପାର୍ଟି ଗଠନ କରିଥିଲେ, ସେତେବେଳେ ସେ ଏଥିରେ ଯୋଗ ଦେଇଥିଲେ। ତେବେ ଏହି ଦଳ ଅଧିକ ଦିନ ତିଷ୍ଠି ପାରିନଥିଲା । ମାନ କହିଛନ୍ତି ଯେ ୧୯୨୯ ମସିହାରେ ଭଗତ ସିଂ ବିଧାନସଭାରେ ବୋମା ବିସ୍ଫୋରଣ କରିଥିବା ପରି ସେ ମଧ୍ୟ ସଂସଦରେ ଶବ୍ଦ ବୋମା ବିସ୍ଫୋରଣ କରିବେ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଭଗତ ସିଂଙ୍କ ଫଟୋକୁ ପ୍ରତ୍ୟେକ ସରକାରୀ କାର୍ଯାଳୟରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବାବିସାହେବ ଭୀମ୍ରାଓ ଆମ୍ବେଦକରଙ୍କ ସହ ସହିଦ ଭାଗବତ ସିଂଙ୍କ ଚିତ୍ର ବର୍ତ୍ତମାନ ପଞ୍ଜାବର ସରକାରୀ କାର୍ଯାଳୟରେ ଦେଖାଯିବ । ତାଙ୍କର ଶପଥ ଗ୍ରହଣକୁ ସ୍ମରଣୀୟ କରିବା ପାଇଁ ସେ ମାର୍ଚ୍ଚ ୧୬ ରେ ହେବାକୁ ଥିବା ସମାରୋହ ପାଇଁ ବସନ୍ତୀ ରଙ୍ଗର ପଗଡି ଏବଂ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତାଙ୍କର ଆହ୍ୱାନ ହେଉଛି ଯେ ଲୋକମାନେ ତାଙ୍କ ସରକାରରେ ଯୋଗଦେବା ଉଚିତ । ଯାହା ଦ୍ୱାରା ଭଗତ ସିଂହଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ଭଗୱନ୍ତ ମାନ କହିଛନ୍ତି ।
