25 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ସେନା ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଥିବା ବେଳେ ନଷ୍ଟଭ୍ରଷ୍ଟ ହୋଇସାରିଲାଣି ୟୁକ୍ରେନ। ଆକ୍ରମଣର ଭୟଙ୍କର ରୁପ ଆଗରେ ସାଧାରଣ ଲୋକେ ବର୍ତ୍ତି ନାହାନ୍ତି। ଯୁଦ୍ଧର ଘମାଘୋଟ୍‌ ଲଢ଼େକୁ ଆଜି ୨୫ ଦିନ ପୁରିଛି। ଅଧାଲୋକେ ଦେଶ ଛାଡ଼ିସାରିଲେଣି। ଅନ୍ୟପଟେ ରୁଷ ବିରୋଧରେ ୟୁକ୍ରେନ୍‌ ସେନା ଦମ୍ଭର ସହ ଜବାବ ଦେଉଥିବା ବେଳେ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ରୁଷକୁ ଦାଗୀ ଯୁଦ୍ଧ ଅପରାଧି କହି ଟାର୍ଗେଟ କରି ଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ପୁଣି ଥରେ ଜେନେଲସ୍କି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ ଆଲୋଚନା ପାଇଁ ରାଜି ଅଛନ୍ତି। ଯଦି ଏହି ବୁଝାମଣା ବିଫଳ ହୁଏ ତେବେ ଏହାର ତୃତୀୟ ବିଶ୍ୱ ଯୁଦ୍ଧ ବୁଝାଯିବ ବୋଲି ସେ କହିଛନ୍ତି। ଜେନେଲସ୍କି କହିଛନ୍ତି ଯେ, ମୁଁ ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଅଛି।

ମୁଁ ଦୁଇ ବର୍ଷ ହେଲା ମଧ୍ୟ ପ୍ରସ୍ତୁତ ଅଛି। ଯଦି ପରସ୍ପର ମଧ୍ୟରେ ଆଲୋଚନା ନହୁଏ ତେବେ ଯୁଦ୍ଧର ଅବସାନ ଘଟିବ ନାହିଁ। ଶାନ୍ତି ଆଲୋଚନା ପାଇଁ ଯେ କୌଣସି ଫର୍ମାଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଯଦି ଏହି ଉଦ୍ୟମ ବିଫଳ ହୁଏ ତେବେ ଏହାକୁ ତୃତୀୟ ବିଶ୍ୱଯୁଦ୍ଧ ବିଚାର କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଚାରି ଥର ଶାନ୍ତି ଆଲୋଚନା ହେଲାଣି । ତଥାପି ବାହାରୁନି ସମାଧାନର ବାଟ । କାହା କଥା ଶୁଣିବାକୁ ପ୍ରସ୍ତୁତ ନାହିଁ ରୁଷ । ଯୁଦ୍ଧ ସ୍ଥିତି ଆହୁରି ଘନେଇବାରେ ଲାଗିଛି। ଏହାରି ଭିତରେ ଏବେ ରୁଷ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।