ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଙ୍କଟ । ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ। ଚାଉଳ, ଡ଼ାଲିର ଘୋର ଅଭାବ ସହ ଡିଜେଲ ଟାଙ୍କି ବନ୍ଦ ହୋଇସାରିଲାଣି। ପେଟ୍ରୋଲ ପାଇଁ ଲାଗୁଛି ଲମ୍ବା ଧାଡ଼ି। ରନ୍ଧନ ଗ୍ୟାସ ନାହିଁ ଓ କିରୋସିନ ମିଳୁ ନଥିବା ବେଳେ ଦିନକୁ ୧୦ ଘଣ୍ଟା ବିଜୁଳି କାଟ୍ ହେଉଛି। ଶିଳ୍ପ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଥିବା ବେଳେ ଲୋକମାନେ ଚାକିରି ହରାଇ ବେକାର ହୋଇପଡ଼ିଛନ୍ତି। ଏହି କାରଣରୁ ଲୋକ ଏବେ ଦେଶ ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଚିନିର ମୂଲ୍ୟ ୨୯୦ଟଙ୍କା ଏବଂ ଚାଉଳ କିଲୋ ୫୦୦ଟଙ୍କାକୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ହାର ୧୭ ପ୍ରତିଶତ ଅତିକ୍ରମ କରିଛି।

ସମଗ୍ର ଦକ୍ଷିଣ ଏସିଆର ଯେକୌଣସି ଦେଶରେ ମୁଦ୍ରାସ୍ଫୀତିର ଏହା ସବୁଠାରୁ ଖରାପ ସ୍ତର। ଏହି କାରଣରୁ, ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସାମ୍ନାରେ ସବୁଠାରୁ ଗୁରୁତର ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ଏହି ଛୋଟ ଦେଶର ଅବସ୍ଥା ଏପରି ହୋଇଛି ଯେ ଲୋକଙ୍କୁ ୧ କପ୍ ଚା’ ପାଇଁ ୧୦୦ଟଙ୍କା ଦେବାକୁ ପଡୁଛି। କେବଳ ଏତିକି ନୁହେଁ, ରୁଟି ଏବଂ କ୍ଷୀର ଭଳି ଜରୁରୀ ଜିନିଷର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି।