ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମଦ୍ୟପମାନଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ଏବେ ମଦ ବିକ୍ରି କରୁଥିବା ବେସରକାରୀ ଦୋକାନୀ ଏମଆରପି ଉପରେ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟରେ ଏନେଇ ତଥ୍ୟ ପ୍ରଦାନ କରାଯାଇଛି । କରୋନା ଜନିତ କାରଣରୁ ଏପରି କରାଯାଇଥିବା ସୂଚନା ମିଳିଛି ।
ଦିଲ୍ଲୀ ଅବକାରୀ ବିଭାଗର କହିବାନୁସାରେ, ବେସରକାରୀ ଦୋକାନରେ ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ଏଥିପାଇଁ ଅବକାରୀ ନିୟମ ୨୦୧୦ର ସେକ୍ସନ ୨୦କୁ ପାଳନ କରିବାକୁ ହେବ । ତେବେ ଅବକାରୀ ବିଭାଗ ରଖିଥିବା ସମସ୍ତ ସର୍ତ୍ତକୁ ଦୋକାନୀ ପାଳନ କରିବା ଜରୁରୀ । ନଚେତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, କରୋନା ପ୍ରକୋପ ମଧ୍ୟରେ ଦିଲ୍ଲୀରେ ଦୋକାନୀମାନେ ଦେଉଥିବା ରିହାତି କାରଣରୁ ଅନେକ ସ୍ଥାନରେ ଗହଳି ଦେଖିବାକୁ ମିଳିଥିଲା । ତେଣୁ ସରକାର ସମସ୍ତ ରିହାତି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାର ଗତ ନଭେମ୍ବରରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ୮୪୯ ଦୋକାନକୁ ଲାଇସେନ୍ସ ମିଳିଥିଲା । ଏହାସହ ଦୋକାନୀ ଏମଆରପି କିମ୍ବା ସର୍ବାଧିକ ବିକ୍ରୟ ମୂଲ୍ୟ ଉପରେ ରିହାତି ଦେଇପାରିବେ ବୋଲି କୁହାଯାଇଥିଲା । ତେବେ ଏବେ ଏହି ନିୟମ ରେ କୋହଳ କରାଯାଇଛି । ଏବେ ଦୋକାନୀ ଗ୍ରାହକ ମାନକୁ 25 ପ୍ରତିଶତ ରିହାତିରେ ମଦ ବିକ୍ରୀ କରି ପାରିବେ ।
