ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ: ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିର ଆଜି ଘଟିଛି ଏକ ବଡ଼ ଅଘଟଣ । ଦୁର୍ବୃତ୍ତମାନେ ରୋଷ ଘରେ ଅଘଟଣ ଘଟାଇଚନ୍ତି। ଶ୍ରୀମନ୍ଦିର ରୋଷ ଘର ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୩ଶହଟି ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ଶହେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ଚାବି ପଡ଼ି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡ଼ିଆ ଚୁଲି ସୁରକ୍ଷିତ ରହିଛି। ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।

ଖବର ଅନୁଯାୟୀ, ରବିବାର ଦିନ ଭୋର ସମୟରେ ଚୁଲି ଗୁଡିକ ଭାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ରୋଷ ଘରେ ଅବସ୍ଥାପିତ ଥିବା ମୋଟ ୭୫୨ ଚୁଲା ମଧ୍ୟରୁ ୩ ଶହରୁ ଅଧିକ ଚୁଲା ଭଙ୍ଗାଯାଇଥିବା ସୁଆର ମହାସୁଆର ସଭାପତି ନାରାୟଣ ମହାସୁଆରଙ୍କ ସୂଚନା । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଶ୍ରୀମନ୍ଦିରରେ ପୁରୀ ଜିଲ୍ଲାପାଳ ଓ ଏସ୍ ପି କନୱର ବିଶାଳ ସିଂ ଗସ୍ତ କରିଛନ୍ତି।

ସେପଟେ ଚୁଲି ଭଙ୍ଗା ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ମନ୍ଦିର ନୀତି ପ୍ରଶାସକ ଓ ଅତିରିକ୍ତ ଏସ.ପି (ମନ୍ଦିର ସିକ୍ୟୁରିଟୀ)ଙ୍କ ଦ୍ବାରା ଯୁଗ୍ମ ତଦନ୍ତ ଆରମ୍ଭ ହୋଇଛି । ଚୁଲି ଭଙ୍ଗା ହୋଇଥିବା ଯୋଗୁଁ ଠାକୁରଙ୍କ ମହାପ୍ରସାଦ କିଭଳି ଲାଗି ହେବ ସେନେଇ ବ୍ୟବସ୍ଥା କରାଯାଇଛି । ସେପଟେ ମହାପ୍ରଭୁଙ୍କ ନିତିକାନ୍ତି ରେ ବିଳମ୍ବ ଘଟିଛି ।

ଯୁଗ୍ମ ତଦନ୍ତ କମିଟି ରୋଷ ଘର ଦାୟିତ୍ବରେ ଥିବା ଲୋକଙ୍କୁ ପଚରାଉଚରା କରିଛି । ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ଏହି ଘଟଣା ପ୍ରଘଟ ହେବା ପରେ ପୁରୀ ସମେତ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Related Posts