କୋଲକାତା: ଦେଶରେ ଏବେ ଲଗାତାର ଭାବେ ବଢ଼ିବାକୁ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ତେବେ ବର୍ଦ୍ଧିତ ଦର ବୃଦ୍ଧିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶରେ ଇନ୍ଧନର ଅହେତୁକ ମୂଲ୍ୟବୃଦ୍ଧି ଲାଗି କେନ୍ଦ୍ରର ବିଜେପି ସରକାର ଦାୟୀ ବୋଲି ସେ କହିଛନ୍ତି। ମୂଲ୍ୟ ବୃଦ୍ଧି ଯୋଗୁ ଉପୁଜିଥିବା ସଂକଟର ସମାଧାନ ଲାଗି ସରକାରଙ୍କର କୌଣସି ଯୋଜନା ମଧ୍ୟ ନାହିଁ। ଏଣୁ ଦେଖା ଦେଇଥିବା ଆର୍ଥିକ ସଂକଟର ସମାଧାନ ଲାଗି କେନ୍ଦ୍ର ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ମମତା ଦାବି କରିଛନ୍ତି।

ମମତା କହିଛନ୍ତି ଯେ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ, ଉପୁଜିଥିବା ପରିସ୍ଥିତିରେ ଭାରତର ସ୍ଥିତି ଶ୍ରୀଲଙ୍କା ଠାରୁ ମଧ୍ୟ ଖରାପ। ଦେଶରେ ଏବେ ସବୁଦିନ ତୈଳ ଦର ବୃଦ୍ଧି ହେଉଛି। ଏଥିରେ କେନ୍ଦ୍ର ସରକାର ସିବିଆଇ ଓ ଇଡିଙ୍କ ଉପଯୋଗ ବନ୍ଦ କରି ଆର୍ଥିକ ସଂକଟର ସମାଧାନ ଲାଗି ବିରୋଧୀଙ୍କୁ ଡାକି ସର୍ବଦଳୀୟ ବୈଠକ କରୁନାହାନ୍ତି କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି। ଦେଶର ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ସୋମବାର ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ କରିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଗତ ୧୪ ଦିନରେ ୧୨ ଥର ବଢିଲାଣି ତୈଳ ଦର। ଫଳରେ ପେଟ୍ରୋଲ ଲିଟର ପିଛା ୮ଟଙ୍କା ୪୦ ପଇସା ମହଙ୍ଗା ହେଲାଣି ।