ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ବାଧ୍ୟତାମୂଳକ ହେଲା ଅଟୋମେଟେଡ ଟେଷ୍ଟିଙ୍ଗ ଷ୍ଟେସନ ମାଧ୍ୟମରେ ଯାନବାହାନ ଫିଟନେସ ସାର୍ଟିଫିକେଟ । ଅର୍ଥାତ ଆସନ୍ତା ବର୍ଷଠାରୁ ସମସ୍ତ ପରିବହନ ଯାନବାହନର ‘ଫିଟ୍ନେସ୍ ସାର୍ଟିଫିକେଟ୍’ କେବଳ ‘ଅଟୋମେଟେଡ୍ ଟେଷ୍ଟିଙ୍ଗ୍ ଷ୍ଟେସନ୍’ ମାଧ୍ୟମରେ କରାଇବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏପ୍ରିଲ୍ ୫ ତାରିଖ ଦିନ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ସେପଟେ କେବଳ ‘ସେଣ୍ଟ୍ରାଲ୍ ମୋଟୋର୍ ଭେଇକ୍ଲ୍ ରୁଲ୍ସ୍ ୧୯୮୯’ର ୧୭୫ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇଥିବା ‘ଅଟୋମେଟେଡ୍ ଟେଷ୍ଟିଙ୍ଗ୍ ଷ୍ଟେସନ୍’ ମାଧ୍ୟମରେ ଏହି ‘ଫିଟ୍ନେସ୍ ସାର୍ଟିଫିକେଟ୍’ ମିଳିବ। ଉପରୋକ୍ତ ବିଜ୍ଞପ୍ତି ଅନୁସାରେ, ଭାରୀ ପଣ୍ୟବାହୀ ଯାନ/ଭାରୀ ଯାତ୍ରୀବାହୀ ମୋଟୋର୍ ଯାନ ନିମନ୍ତେ ୨୦୨୩ ଏପ୍ରିଲ୍ ୧ ତାରିଖରୁ ଏଭଳି ତନଖି କରାଯିବ।
ସେହିପରି, ମଧ୍ୟମ ପଣ୍ୟବାହୀ ଯାନ/ମଧ୍ୟମ ଯାତ୍ରୀବାହୀ ମୋଟୋର୍ ଯାନ ଏବଂ ହାଲୁକା ମୋଟର୍ ଯାନ (ପରିବହନ) ନିମନ୍ତେ ତନଖି ୨୦୨୪ ଜୁନ୍ ୧ ତାରିଖରୁ ଆରମ୍ଭ ହେବ। ଉପରୋକ୍ତ ନିମୟରେ ପରିବର୍ତ୍ତନ କରାଯିବା ସଂକ୍ରାନ୍ତରେ ପୂର୍ବରୁ ମନ୍ତ୍ରାଳୟ ‘ଡ୍ରାଫ୍ଟ୍ ନୋଟିଫିକେସନ୍’ ଜାରି କରିଥିଲା। ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରାଯିବା ପୂର୍ବରୁ ପ୍ରସ୍ତାବିତ ପରିବର୍ତ୍ତନ ସଂକ୍ରାନ୍ତରେ ପରାମର୍ଶ ଏବଂ ଆପତ୍ତି କରିବା ଲାଗି ଦାବିଦାରମାନଙ୍କୁ ୩୦ ଦିନ ସମୟ ଦିଆଯାଇଥିଲା। ଏହି ନିୟମ ଅନୁସାରେ, ୮ ବର୍ଷ ପୁରୁଣା ଯାନ ପାଇଁ ୨ ବର୍ଷ ପର୍ୟ୍ୟନ୍ତ ଏବଂ ୮ ବର୍ଷରୁ ଅଧିକ ପୁରୁଣା ଯାନ ପାଇଁ ୧ ବର୍ଷ ପର୍ୟ୍ୟନ୍ତ ‘ଫିଟ୍ନେସ୍ ସାର୍ଟିଫିକେଟ୍’ ମିଳିବାର ବ୍ୟବସ୍ଥା ରହିଛି।
