ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ବର୍ତ୍ତମାନ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ କିଏ ହେବ ପ୍ରଧାନମନ୍ତ୍ରୀ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ସେପଟେ ଅଧ ରାତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗାଦିଚ୍ୟୁତ ହୋଇଛନ୍ତି । ତେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଭୋଟିଂ ହେବ ବୋଲି ସୂଚନା ମିଳିଛି । ଏହା ମଧ୍ୟରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀ ଶେହ୍ବାଜ୍ ଶରିଫ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆମେ କାହା ଉପରେ ପ୍ରତିଶୋଧ ନେବୁ ନାହିଁ, କାହା ପ୍ରତି ଅନ୍ୟାୟ କରିବୁ ନାହିଁ କି, କାହାକୁ ଜେଲ୍ରେ ପୂରାଇବୁ ନାହିଁ, ଯାହା ହେବ ଆଇନ ଅନୁଯାୟୀ ହେବ ବୋଲି କହି ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ଶେହ୍ବାଜ୍ ଶରିଫ୍ । ଅନ୍ୟପଟେ ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍ ଆଗତ କରାଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବହିଷ୍କାର କରାଯିବା ପରେ ବିରୋଧୀ ନେତା ତଥା ‘ମୁସ୍ଲିମ୍ ଲିଗ୍-ନୱାଜ୍ ମୁଖ୍ୟ ଶେହ୍ବାଜ୍ ଶରିଫ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ବାହାରିଛନ୍ତି।

ଗତ ରାତିରେ ଇମ୍ରାନ୍ ଖାଁ ବହିଷ୍କାର ହେବା ପରେ ଟୁଇଟର୍ରେ ଦେଶବାସୀଙ୍କୁ ସମ୍ବୋଧନ କରି ଶେହ୍ବାଜ୍ ଶରିଫ୍ କହିଛନ୍ତି, ଗତରାତିରେ ଉଦ୍ବେଗଜନକ ପରିସ୍ଥିତିର ଅବସାନ ପରେ ପାକିସ୍ତାନ ସାଙ୍ଘାତିକ ସଙ୍କଟରୁ ମୁକ୍ତ ହୋଇଛି। ପରିଶେଷରେ ଗତରାତିରେ ଦେଶ ଓ ପାର୍ଲାମେଣ୍ଟ୍ ସାଂଘାତିକ ସଙ୍କଟରୁ ରକ୍ଷା ପାଇଲା। ନୂଆ ପ୍ରତ୍ୟୁଷରେ ପାକିସ୍ତାନୀ ନାଗରିକମାନଙ୍କୁ ଅଭିନନ୍ଦନ। ଏହାଛଡ଼ା, ନୂଆ ସରକାରଙ୍କ ରାଜୁତିରେ ରାଜନୈତିକ ବିରୋଧୀମାନଙ୍କ ଉପରେ ପ୍ରତିଶୋଧ ନେବା ଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ। ଯାହା ହେବ ଦେଶର ଆଇନ ଅନୁସାରେ ହିଁ ହେବ ବୋଲି ଶେହ୍ବାଜ୍ ଶରିଫ୍ ପ୍ରତିଶ୍ରୁତି ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।