ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯଦି ଡବ୍ଲ୍ୟୁଟିଓ ଅନୁମତି ଦିଏ ତାହାଲେ ଭାରତ ସାରା ବିଶ୍ୱକୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି । ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଥିବାର ଦେଖିବାକୁ ମିଳିଛି । ଏପରିକି ଭାରତର ଖାଦ୍ୟ ଭଣ୍ଡାରକୁ ପୃଥିବୀର ବିଭିନ୍ନ ଦେଶକୁ ଯୋଗାଇବାକୁ ମୋଦି ଅଫର ଦେଇଥଲେ । ଏ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଅଦଲଜରେ ଶ୍ରୀ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେପଟେ ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ପୃଥିବୀର ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ହ୍ରାସ ପାଉଛି । ଫଳରେ ଦୁନିଆ ଏକ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଭିନ୍ନ ଦେଶ ଯାହା ଆବଶ୍ୟକ କରୁଛନ୍ତି ତାହା କେହି ପାଇପାରୁ ନାହାନ୍ତି ।

ପେଟ୍ରୋଲ, ତେଲ ଏବଂ ସାରର ଉପଲବ୍ଧତା ହ୍ରାସ ପାଉଛି ବୋଲି କହିଛନ୍ତି । ବର୍ତ୍ତମାନ ପୃଥିବୀ ଏକ ନୂତନ ଏବଂ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି । ପୃଥିବୀର ଖାଦ୍ୟ ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆମେରିକାର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଡବ୍ଲୁଟିଓ ଅନୁମତି ଦେଲେ ଆସନ୍ତା କାଲି ଠାରୁ ଭାରତ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁ ପ୍ରତ୍ୟେକ ଦେଶ ନିଜ ନିଜର ଖାଦ୍ୟ ଭଣ୍ଡାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ।

କିନ୍ତୁ ଭାରତର ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଅଛି । ଦେଶର କୃଷକମାନଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର କୃଷକମାନେ ମଧ୍ୟ ପୃଥିବୀବାସୀଙ୍କୁ ଖାଇବାକୁ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ତଥାପି ଆମକୁ ପୃଥିବୀର ବାଣିଜ୍ୟ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିବ । ତେବେ ଡବ୍ଲୁଟିଓ କେବେ ଅନୁମତି ଦେବ ଏବଂ ଆମେ କେବେ ପୃଥିବୀକୁ ଖାଦ୍ୟ ଯୋଗାଇ ପାରିବା ତାହା ସମୟ କହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।