ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଥିବାର କଥା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ନୀତିଶ ଅଳ୍ପକେ ବର୍ତ୍ତିଯାଇଥିବାର ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି । ତେବେ କେହି ଜଣେ ଶକ୍ତିଶାଳୀ ବାଣରେ ନିଆଁ ଲଗାଇଥିବାର କୁହାଯାଉଛି । ନାଳନ୍ଦା ଜିଲ୍ଲାର ସିଲାବଠାରେ ଥିବା ଗାନ୍ଧି ହାଇସ୍କୁଲରେ ଏକ କାର୍ଯ୍ୟକ୍ରମ ସମୟରେ କେହି ଜଣେ ବାଣ ଫୁଟାଇଥିଲେ ।
ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ହେଉଛନ୍ତି ଜିଲ୍ଲାର ଇସଲାମପୁରର ସତ୍ୟ ଗଞ୍ଜର ବାସିନ୍ଦା ଶୁଭମ୍ ଆଦିତ୍ୟ। ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପାୱାପୁରୀ ଯାଇଥିଲେ । ସେଠାରୁ ସେ ସିଲାବରେ ପହଞ୍ଚିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ରାଜଗିରି ଯିବାର କାର୍ଯ୍ୟକ୍ରମ ଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
