ଭୁବନେଶ୍ୱର: ରାଜ୍ୟରେ ଜାରୀ ରହିଛି ଅସହ୍ୟ ଗରମ । ତେବେ ଏହାରି ମଧ୍ୟରେ ପିଲାଙ୍କ ବିଦ୍ୟାଳୟ ଯିବା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହ କୁ ଦେଖି ଆସନ୍ତାକାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନେଇ ଘୋଷଣା ହୋଇଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି । ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଆହୁରି ବଢିବ ତାପମାତ୍ରା । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବରଂ ତାପମାତ୍ରା ବୃଦ୍ଧି ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୨୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଭଳି ପଶ୍ଚିମ ଓଡିଶାର ଏହି ଜ଼ିଲ୍ଲା ଗୁଡିକରେ ୫ ଡିଗ୍ରୀ ଯାଏଁ ବଢ଼ିପାରେ ତାପମାତ୍ରା । ସେପଟେ ଉପକୂଳ ଓଡିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l
୨୭ ଓ ୨୮ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ ଏବଂ ୨୯ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ୱ ତାପମାତ୍ରା ରହିବା ସହ ଆର୍ଦ୍ରତାର ପରିଣାମ ଅଧିକ ରହିଥିବାରୁ ଦିନତମାମ ଗୁଳୁଗୁଳି ଅଧିକ ମାତ୍ରାରେ ଅନୁଭୂତ ହେବ ।
