କଲମ୍ବୋ: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶ୍ରୀଲଙ୍କାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈତ୍ରୀପଲା ସିରିସେନା | ପୋଲେଶନାରୁୱାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଲଙ୍କା ଫ୍ରିଡମ ପାର୍ଟିର ଅଧ୍ୟକ୍ଷ ସିରିସେନା ପୁଣି ଥରେ ନିର୍ବାଚନ କରିବାକୁ ଦାବି କରିଛନ୍ତି | ସେ କହିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରୀଲଙ୍କାରେ ଘୋର ସଂକଟ ପରିସ୍ଥିତି ଦେଖାଯାଇଛି । ଦେଶ ଆର୍ଥିକ ସଂକଟ ଦେଇ ଦିନ କାଟୁଛି । ଶ୍ରୀଲଙ୍କା ସ୍ୱାଧୀନ ହେବା ଠାରୁ ଏଭଳି ପରିସ୍ଥିତି କେବେବି ଦେଖାଯାଇ ନାହିଁ । ଖାଦ୍ୟ ଓ ତେଲର ଅଭାବ ଦେଖାଯାଇଛି । ଦରବୃଦ୍ଧି ଲୋକଙ୍କୁ କନ୍ଦାଇଛି, ଗରିବ ଲୋକମାନେ ଏବେ ବହୁତ ହଇରାଣ ହେଉଛନ୍ତି । ମୁଁ ଚାହୁଁଛି ଦେଶରେ ନୂଆ ସରକାର ଗଠନ ହେଉ । ଆମେ ଏହା କରିବୁ ବୋଲି ପୂର୍ବତନ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶରେ ଏବେ ହଜାର ହଜାର ସମସ୍ୟା ଲାଗି ରହିଛି । ସେଥି ପାଇଁ ସେ ଘର ଭିତରେ ଶାନ୍ତିରେ ରହିପାରୁ ନାହାନ୍ତି । ସେ ଆହୁରି କହିଛନ୍ତି ବର୍ତ୍ତମାନ ସରକାର ଯଦି ଆହୁରି କିଛି ଦିନ କ୍ଷମତାରେ ରହିବେ, ତାହେଲେ ଲୋକେ ଘର ଭିତରେ ହିଁ ମରିଯିବେ । ୨ରୁ ୩ ଲକ୍ଷ ଲୋକ ଖାଇବାକୁ ପାଉନାହାନ୍ତି । ସେ ଦେଶବ୍ୟାପୀ ଲୋକଙ୍କ ସହିତ କଥା ହୋଇଛନ୍ତି । ଦେଶରେ ଏବେ ଖାଦ୍ୟର ଘୋର ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, କୋଭିଡ-୧୯ ପରେ ଦେଶରେ ଏହି ଆର୍ଥିକ ସଂକଟ ପରିସ୍ଥିତି ଦେଖାଯାଇଛି । ଅନେକ ସାମଗ୍ରୀର ଦର ବଢିବା ସହ ଅଭାବ ମଧ୍ୟ ଦେଖା ଦେଇଛି |
