ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣିବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ସରକାର ଏହାକୁ ସମୀକ୍ଷା କରିବେ ଏବଂ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ମାଗି କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ବିବାଦୀୟ କହି ଶୀର୍ଷ କୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଛନ୍ତି । ସେପଟେ କୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବଡ଼ ବୟାନ ଦେଇଛନ୍ତି । ତେବେ କୋର୍ଟ ଏବଂ ଏହାର ସ୍ୱାଧୀନତାକୁ ସେ ସମ୍ମାନ କରନ୍ତି କିନ୍ତୁ ସେଠାରେ ଲକ୍ଷ୍ମଣ ରେଖା ଅଛି ଯାହାକୁ ପାର କରାଯାଇପାରିବ ନାହିଁ ବୋଲି କହିଛନ୍ତି । ଏହା ସହ ଆମେ ଆମର ଆଭିମୁଖ୍ୟକୁ ବହୁତ ସ୍ପଷ୍ଟ କରିଛୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟ ବିଷୟରେ କୋର୍ଟଙ୍କୁ ଜଣାଇଛୁ । ଆମେ କୋର୍ଟ ଏବଂ ଏହାର ସ୍ୱାଧୀନତାକୁ ସମ୍ମାନ ଦେଉଛୁ ।

କିନ୍ତୁ ସେଠାରେ ଏକ ଲକ୍ଷ୍ମଣ ରେଖା ଅଛି ଯାହା ସମସ୍ତଙ୍କ ଦ୍ୱାରା ସମ୍ମାନୀୟ ହେବା ଉଚିତ । ଏହା ସହିତ କେନ୍ଦ୍ର ମନ୍ତ୍ରୀ କିରେନ ରଜିଜୁ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଭାରତୀୟ ସମ୍ବିଧାନର ବ୍ୟବସ୍ଥା ତଥା ବିଦ୍ୟମାନ ଆଇନକୁ ଆମେ ସମ୍ମାନ ଦେଉଛୁ ବୋଲି କହିଛନ୍ତି । ଅନ୍ୟପଟେ ଏହାର ଶୁଣାଣିରେ ଅଦାଲତ କହିଛନ୍ତି ଯେ ଯେଉଁମାନେ ଏହି ଆଇନର ଧାରା ୧୨୪ଏ ଅନୁୂଯାୟୀ ଜେଲରେ ଅଛନ୍ତି, ସେମାନେ ଜାମିନ ପାଇଁ କୋର୍ଟକୁ ଯିବା ଉଚିତ । ଏହା ପୂର୍ବରୁ ସୋଲିସିଟର ଜେନେରାଲ କହିଥିଲେ ଯେ ସରକାର ଦେଶଦ୍ରୋହ ବ୍ୟବସ୍ଥାରେ ଅପରାଧ ପଞ୍ଜିକରଣରୁ ପୁଲିସକୁ ଅଟକାଇ ପାରିବେ ନାହିଁ । କିନ୍ତୁ ଜଣେ ଦକ୍ଷ ଅଧିକାରୀଙ୍କ ସୁପାରିଶ ପରେ ୧୨୪-ଏ ମାମଲା ପଞ୍ଜିକୃତ ହେବା ଆବଶ୍ୟକ । ଏବଂ ଏହା କରାଯାଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ୧୨୪-ଏ ଅନ୍ତଗର୍ତ ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନକୁ ଶୀଘ୍ର ବିଚାର କରାଯିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।