କଂଗ୍ରେସ ଦଳରେ ସାମିଲ ହେବେ ୫୦ ପ୍ରତିଶତ ଯୁବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ରାଜସ୍ଥାନ ଉଦୟପୁରରେ ଦଳ ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ କିଛି ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ମହାସଚିବ ଅଜୟ ମାକେନ କହିଛନ୍ତି ଦଳ ଏକ ପରିବାର । ଏକ ଟିକେଟ ନିୟମରେ ସମ୍ପୂର୍ଣ୍ଣ ଭାବେ ସହମତ ପ୍ରକାଶ କରିଛି । ପ୍ରାୟ ସମସ୍ତ ସଦସ୍ୟ ଗୋଟିଏ ପରିବାର ଗୋଟିଏ ଟିକେଟରେ ସହମତି ପ୍ରକାଶ କରିଛନ୍ତି ।

ତେବେ ପରିବାରର ଦ୍ୱିତୀୟ ସଦସ୍ୟଙ୍କୁ ସେତେବେଳେ ଟିକେଟ ଦିଆଯିବ ଯେତେବେଳେ ଜଣେ ସଦସ୍ୟ ଦଳରେ ଅତିକମରେ ୫ ବର୍ଷ କାମ କରିଥିବ ବୋଲି କହିଛନ୍ତି । ସେପଟେ ଦଳ ପକ୍ଷରୁ ସ୍ଥିର କରାଯାଇଛି କି ଏବେ ସବୁ ସ୍ତରରେ ସଙ୍ଗଠନରେ ଅତିକମରେ ୫୦ ପ୍ରତିଶତ ଯୁବକଙ୍କୁ ସାମିଲ କରାଯିବ । ବ୍ଲକ ଓ ବୁଥ ମଧ୍ୟରେ ମଣ୍ଡଳ ସମିତି ପାଇଁ ସହମତି ପ୍ରକାଶ ପାଇଛି । ଗୋଟିଏ ମଣ୍ଡଳ ସମିତିରେ ୧୫ରୁ ୨୦ ବୁଥ ରହିବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts