ନୂଆ ଇନିଂସ ବିଷୟରେ ଘୋଷଣା କଲେ ସୌରଭ ଗାଙ୍ଗୁଲି

କୋଲକତା: ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ସଭାପତି ସୌରଭ ଗାଙ୍ଗୁଲି ନିଜ ନୂଆ ଇନିଂସ ବିଷୟରେ ଘୋଷଣା କରିଛନ୍ତି । ବୁଧବାର ଏକ ଟୁଇଟ ଯୋଗେ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହା ପରେ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି ଏବଂ ସେ ରାଜନୀତିରେ ଏକ ନୂତନ ଇନିଂସ ଆରମ୍ଭ କରିବେ ବୋଲି କଳ୍ପନାଜଳ୍ପନା ଜାରି ରହିଥିଲା। କିନ୍ତୁ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରି ଗାଙ୍ଗୁଲି ନୂଆ ଇନିଂସ ବିଷୟରେ ଘୋଷଣା କରିଛନ୍ତି।

ଗାଙ୍ଗୁଲି କହିଛନ୍ତି ଯେ, ମୁଁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହିଁ। ମୁଁ ବିଶ୍ୱସ୍ତରରେ ଏକ ନୂତନ ଶିକ୍ଷା ଆପ ଲଞ୍ଚ କରୁଛି। ଏହି ଘୋଷଣା ପରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି।
ଏହାପୂର୍ବରୁ ଗାଙ୍ଗୁଲି ଟୁଇଟ୍‌ କରି କହିଥିଲେ, ୧୯୯୨ରେ ମୁଁ ଜଣେ କ୍ରିକେଟର ଭାବରେ ମୋର ଇନିଂସ ଆରମ୍ଭ କରିଥିଲି। ୨୦୨୨ରେ ଏହା ୩୦ ବର୍ଷ ପୂରଣ କରୁଛି। ଏହି ସମୟ ମଧ୍ୟରେ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ସମସ୍ତଙ୍କର ସମର୍ଥନ ପାଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏହି ଯାତ୍ରାର ଏକ ଅଂଶ ହୋଇଛନ୍ତି, ମୋତେ ସମର୍ଥନ କରିଛନ୍ତି ଏବଂ ଆଜି ମୁଁ ଯେଉଁଠାରେ ଅଛି, ସେଠାରେ ପହଞ୍ଚିବାରେ ସାହାଯ୍ୟ କରିଛନ୍ତ। ଆଜି ମୁଁ ନୂଆ କିଛି ଆରମ୍ଭ କରିବାକୁ ଚିନ୍ତା କରୁଛି ଯାହା ମାଧ୍ୟମରେ ମୁଁ ବହୁ ସଂଖ୍ୟକ ଲୋକଙ୍କୁ ସାହାଯ୍ୟ କରିପାରିବି। ମୁଁ ଆଶା କରେ ଆପଣ ମୋ ଜୀବନର ନୂତନ ଅଧ୍ୟାୟରେ ମଧ୍ୟ ମୋତେ ସାହାଯ୍ୟ କରିବେ ।

ସେପଟେ ତାଙ୍କର ଏହି ଟୁଇଟ୍‌ କୁ ନେଇ ବହୁ କଳ୍ପନା ଓ କଳ୍ପନା ଆରମ୍ଭ ହୋଇଯାଇଥିଲା । ସେ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

Related Posts