ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ । ଦେଶରୁ ପ୍ରାୟ ସାଢେ ୪ ଲକ୍ଷ ଟନ ଗହମ ରପ୍ତାନିକୁ କେନ୍ଦ୍ର ସରକାର ଗୁରୁବାରଦିନ ଅନୁମତି ଦେଇଛନ୍ତି । ଏସବୁ ଗହମ ବାଂଲାଦେଶ, ଫିଲିପାଇନ୍ସ, ମାଲେସିଆ ଓ ତାଞ୍ଜାନିଆକୁ ରପ୍ତାନି କରାଯିବ । ଭାରତ ପ୍ରାୟ ୧୫ ଲକ୍ଷ ଟନ ଗହମ ରପ୍ତାନି କରୁ ବୋଲି ଗତ ସପ୍ତାହରେ ବାଂଲାଦେଶ,ଇଜିପ୍ଟ ପ୍ରଭୃତି ୬ଟି ଦେଶ ଅନୁରୋଧ କରିଥିଲେ । ଗୋଟିଏ ପଟେ ବିଶ୍ବରେ ଗହମ ଅଭାବ ଦେଖାଦେଇଥିବାବେଳେ ଭାରତରେ ଲକ୍ଷ ଲକ୍ଷ ଟନ ଗହମ ପଡ଼ି ପଡ଼ି ଖରାପ ହେବାକୁ ବସିଲାଣି ।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ବନ୍ଦରରେ ପ୍ରାୟ ୧୭ ଲକ୍ଷ ଟନ ଗହମ ଖୋଲା ଆକାଶ ତଳେ ପଡ଼ିରହିଛି । ଆଗକୁ ବର୍ଷାଋତୁ ଆସୁଥିବାରୁ ଏଗୁଡ଼ିକ ନଷ୍ଟ ହେବାର ଆଶଙ୍କା ରହିଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବରେ ଗହମର ଅଭାବ ଦେଖାଦେଇଛି । ତେବେ ଉତ୍ପାଦନ କମିବା ଯୋଗୁଁ ଏବର୍ଷ ଭାରତ ଗହମ ରପ୍ତାନି ବନ୍ଦ କରିଦେଇଛି । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଛନ୍ତି ।

Related Posts