ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବେ ୮ କଂଗ୍ରେସ ବିଧାୟକ: ସୁଭାଷ ଚନ୍ଦ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ରାଜ୍ୟ ସଭା ନିର୍ବାଚନ ବେଳେ ରାଜସ୍ଥାନର ୮ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ ବୋଲି ସେ କହିଛନ୍ତି । ଏହା ସହ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ସେ ରାଜ୍ୟସଭା ନିର୍ବାଚନ ଜିତିବେ ବୋଲି ଦାବି କରିଛନ୍ତି । ରାଜ୍ୟରେ ଶୀର୍ଷ ପଦବୀ ପାଇଁ ଆଶାୟୀ ଥିବା କଂଗ୍ରେସର ସଚିନ ପାଇଲଟ ତାଙ୍କୁ ଏହି ବାର୍ତ୍ତା ଦେଇଥିବା ସୁଭାଷ କହିଛନ୍ତି । ବାସ ଏହା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତାଙ୍କ କହିବା ଅନୁଯାୟୀ ସଚିନଙ୍କ ପିତା ରାଜେଶ ପାଇଲଟ ତାଙ୍କ ବନ୍ଧୁ । ଜଣେ ଯୁବ ଓ ଲୋକପ୍ରିୟ ନେତା ଭାବେ ସଚିନଙ୍କ ପାଇଁ ଏବେ ସୁଯୋଗ ରହିଛି ବୋଲି ସେ କହିଛନ୍ତି । ପ୍ରତିଶୋଧ ନେବା କିମ୍ବା ଏକ ବାର୍ତ୍ତା ଦେବା ଲାଗି ସେ ଏହାକୁ ସୁଯୋଗ ଭାବେ ନେଇପାରିବେ । ଯଦି ସେ ସୁଯୋଗ ହାତଛଡ଼ା କରନ୍ତି ତେବେ ତାଙ୍କ ୨୦୨୮ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ସୁଭାଷ କହିଛନ୍ତି ।

ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ ରଖିଛି । ଗତ ଗୁରୁବାର ସେମାନେ ଏକ ବସରେ ସେଠାକୁ ଯାଇଥିଲେ । ୬ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଚେତାବନୀ ପରେ ସେମାନେ ରବିବାର ସେଠାକୁ ଫେରିଥିଲେ । ଭିନ୍ନ ମତ ରଖିଥିବା ଏହି ବିଧାୟକଙ୍କ ମଧ୍ୟରେ ଜଣେ ମନ୍ତ୍ରୀ ଥିବା କୁହାଯାଇଥିଲା । ରିସର୍ଟଠାରୁ ଦୂରେଇ ରହିଥିବା ଏହି ବିଧାୟକମାନେ କ୍ରସଭୋଟିଂ କରିବା ସମ୍ଭାବନା ଥିବାରୁ ସରକାରଙ୍କ ମୁଖ୍ୟ ହୁଇପ ତଥା କ୍ୟାବିନେଟ ମନ୍ତ୍ରୀ ମହେଶ ଯୋଷୀ ଦୁର୍ନୀତି ନିବାରଣ ବ୍ୟୁରୋକୁ ପତ୍ର ଲେଖି ଘୋଡ଼ାବେପାର ଉଦ୍ୟମ ଅଭିଯୋଗର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts