ନୂଆଦିଲ୍ଲୀ: ପୁଣି ୪ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ | ମନି ଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଅଡୁଆ ବଢୁଥିବା ବେଳେ, ସେପଟେ ରିମାଣ୍ଡ ଅବଧି ମଧ୍ୟ ବଢିଛି । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ସୋମବାର ଯାଏଁ ର କଷ୍ଟଡିରେ ରହିବେ। ଅର୍ଥାତ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତ ଜୁନ୍‌ ୧୩ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି।

ଆଜି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବଢ଼ାଇବା ପାଇଁ ଇଡି କୋର୍ଟରେ ଆବେଦନ କରିଥିଲା। ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ପାଇଁ ବଢ଼ାଇଛନ୍ତି।

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହି ମାମଲରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା। ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢ଼ାଉ ହୋଇଥିଲା। ଏହ ଚଢ଼ାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା। ଏହାପରେ ଇଡି ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଦାବି କରିଥିଲା।

ସେପଟେ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏଥିସହ ଟ୍ୱିଟ୍‌ କରି କେଜ୍ରିୱାଲ ମୋଦି ସରକାରଙ୍କ ବିରୋଧରେ ଜୋରଦାର ବର୍ଷିବା ସହ ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେ କହିଥିଲେ ମୋଦି ସରକାର ବିଶେଷ କରି ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ ସରକାର ପଛରେ ପଡିଛନ୍ତି।