ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟର ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷ ଟଙ୍କା

ସୋନପୁର : ଜମା ଖାତାରୁ ୭୦ ଲକ୍ଷ ଟଙ୍କା ଗାଏବ । ଜମାଖାତା ଅପଡେଟ କରିବା ପରେ ସାମ୍ନାକୁ ଆସିଛି ଏହି ବଡ ଚଞ୍ଚକତା ଖବର | ଏପରି କଳା କାରନାମା ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟରେ ଘଟିଛି | ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟର ଆକାଉଣ୍ଟ ବ୍ୟାଙ୍କ ଅଫ ବରୋଦାରେ ରହିଛି। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ଏହି ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। କିଛି ଦିନ ପୂର୍ବେ ମହାବିଦ୍ୟାଳୟ ପକ୍ଷରୁ ଜମାଖାତାକୁ ଅପଡେଟ କରାଯାଇଥିବା ବେଳେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା କମ୍‌ ଥିବା ଜଣାପଡ଼ିଥିଲା। ଜାଲି ଚେକ୍‌ ମାଧ୍ୟରେ ଏହି ଟଙ୍କାକୁ ଏକ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ତେବେ ଉକ୍ତ ଆକାଉଣ୍ଟ କାହାର, କିଏ ଏହି ଟ୍ରାନ୍ସଫର କଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଏନେଇ ସୋନପୁର ଥାନାରେ ଏକ ମାମଲା ଦାଏର ହୋଇଛି । ଏତେ ଟଙ୍କା କିପରି ଗାଏବ ହୋଇଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ଡାକି ପଚରାଉଚୁରା କରିଛି ପୁଲିସ୍‌। ଖୁବ୍‌ ଶୀଘ୍ର ଏହି ଜାଲିଆତି ଉପରୁ ପରଦା ହଟିବ ଓ ଅଭିଯୁକ୍ତ ଧରାପଡ଼ିବେ ବୋଲି କହିଛନ୍ତି ସୁବର୍ଣ୍ଣପୁର ଏସ୍‌ପି ।

Related Posts