ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା ରାହୁଲ ଗାନ୍ଧୀ ଆଜି ଇଡିରେ ହାଜର ହେବେ ।

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ୍ ଜାରି କରାଯାଇଥିବା ବେଳେ, ଆଜି ଇଡି ସମ୍ମୁଖରେ ହାଜର ହେବେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛି। ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨୫ଟି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିବେ।

ଇଡି ପିଏମ୍ ଏଲ୍ ଏର ଅପରାଧିକ ଧାରା ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଚାହୁଛି। ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଏହା କେନ୍ଦ୍ରର ବିଜେପି ସରକାରର ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି।

କେନ୍ଦ୍ରର ‘ପ୍ରତିଶୋଧ ରାଜନୀତି’ ବିରୋଧରେ ଦେଶବ୍ୟାପୀ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ନ୍ୟାସନାଲ ହେରାଲଡ୍ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନୂଆ ସମନ ଜାରି ହୋଇଛି । ତାଙ୍କୁ ୨୩ ତାରିଖ ଦିନ ଇଡିରେ ହାଜର ହେବାକୁ କୁହାଯାଇଛି। ଏବେ କରୋନା ସଂକ୍ରମିତ ଥିବା ସୋନିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।