ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ ରାଜନୀତି ଉପରେ ସାରା ଦେଶର ନଜର ରହିଛି । ତେବେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପାଖରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରିଆସୁଛନ୍ତି । ଯେଉଁଥିରେ ଶିବସେନା, ସ୍ୱାଧୀନ ଏବଂ ଅନ୍ୟାନ୍ୟ ଦଳର ବିଧାୟକ ଅଛନ୍ତି । ଏହି ସମସ୍ତ ବିଧାୟକ ଗୈହାଟୀର ପଞ୍ଚ ତାରକା ହୋଟେଲ ରେଡିସନ ବ୍ଲୁରେ ଡେରା ପକାଇଛନ୍ତି । ସେପଟେ ଏହି ହୋଟେଲ ବର୍ତ୍ତମାନ ମହାରାଷ୍ଟ୍ରର ପାୱାର ସେଣ୍ଟରରେ ପରିଣତ ହୋଇଛି ଏବଂ ଗତ ଦୁଇ ଦିନ ହେବ ଏହି ହୋଟେଲରେ ସମଗ୍ର ଦେଶର ନଜର ରହିଛି । ଅନ୍ୟପଟେ ଗତ ବୁଧବାର ସକାଳେ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକମାନେ ଗୁଜୁରାଟର ସୁରତରୁ ଗୁଆହାଟୀରେ ପହଞ୍ଚିଥିଲେ ।
ବିମାନ ବନ୍ଦରରେ ଅବତରଣ କରିବା ପରେ ସମସ୍ତ ବିଧାୟକ ଏହି ହୋଟେଲକୁ ଯାଇଥିଲେ । ରେଡିସନ ବ୍ଲୁ ହୋଟେଲ ରୁମ ପାଇଁ ସାତ ଦିନର ଖର୍ଚ୍ଚ ୫୬ ଲକ୍ଷ ଟଙ୍କା ଅଟେ । ଏହା ବ୍ୟତୀତ ଖାଦ୍ୟ ଏବଂ ଅନ୍ୟାନ୍ୟ ସେବାର ଦୈନିକ ମୂଲ୍ୟ ୮ ଲକ୍ଷ ଟଙ୍କା । ହୋଟେଲରେ ୧୯୬ ରୁମ ଅଛି । ସେପଟେ ବିଧାୟକମାନଙ୍କ ପାଇଁ ବୁକ ହୋଇଥିବା ୭୦ ରୁମ ବ୍ୟତୀତ ମ୍ୟାନେଜମେଣ୍ଟ ନୂତନ ବୁକିଂ ଗ୍ରହଣ କରୁନାହିଁ । ଏପରିକି ହୋଟେଲର ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ରହିଛି । ମହାରାଷ୍ଟ୍ରର ଏହି ବିଦ୍ରୋହୀ ବିଧାୟକମାନେ ବୁଧବାର ସକାଳେ ସୁରଟରୁ ଗୁଆହାଟୀରେ ପହଞ୍ଚିଥିଲେ । ସୁରତରୁ ଗୁଆହାଟୀକୁ ଚାର୍ଟାର୍ଡ ବିମାନ ମଧ୍ୟ ଶସ୍ତା ଯାତ୍ରା ନୁହେଁ । ତେବେ ୩୦ରୁ ଅଧିକ ଲୋକଙ୍କୁ ଚାଟାର୍ଡ ବିମାନ ଯୋଗାଇବାରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ଅନୁମାନ କରାଯାଉଛି ।
