ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ହାଇକମିସନ୍ ପ୍ରତିବାଦ କରିବା ପରେ ବିବାଦୀୟ ‘କାଳୀ’ ପୋଷ୍ଟର୍ ପାଇଁ କ୍ଷମାପ୍ରାର୍ଥନା କଲା କାନଡା ସଂଗ୍ରହାଳୟ । ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଉକ୍ତ ସଂଗ୍ରହାଳୟ କହିଛି, କାନଡୀୟ ବହୁ-ସଂସ୍କୃତିବାଦ ପ୍ରକଳ୍ପର ଅଂଶ ଭାବେ ‘ଅଣ୍ଡର୍ ଦି ଟେଣ୍ଟ୍’ ପ୍ରକଳ୍ପରେ ଟରଣ୍ଟୋ ମେଟ୍ରୋପଲିଟାନ୍ ବିଶ୍ବବିଦ୍ୟାଳୟ’ ବିଭିନ୍ନ ବର୍ଣ୍ଣ (ସମ୍ପ୍ରଦାୟ) ଏବଂ ସାଂସ୍କୃତିକ ପରିବଶେରୁ ଆସିଥିବା ଶିକ୍ଷାର୍ଥୀମାନଙ୍କର କାମ ସବୁ ଏକତ୍ର କରିଥିଲା। ସଂଗ୍ରହାଳୟ କହିଛି, ‘ଅଣ୍ଡର୍ ଦି ଟେଣ୍ଟ୍’ରେ ଏକତ୍ର କରାଯାଇଥିବା ୧୮ଟି ‘ସର୍ଟ ଭିଡିଓ’ରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଗୋଟିକର ପୋଷ୍ଟର୍ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆଘାତ ଦେଇଛି। ଏଥିନିମନ୍ତେ ସଂଗ୍ରହାଳୟ ଗଭୀର ଦୁଃଖ ପ୍ରକାଶ କରୁଛି। ସେପଟେ ଅଣ୍ଡର୍ ଦି ଟେଣ୍ଟ୍’ ପ୍ରକଳ୍ପରେ ହିନ୍ଦୁ ଦେବାଦେବୀଙ୍କୁ କଦର‌୍ୟ୍ୟ ଭାବେ ରୂପାୟିତ କରିଥିବା ଟରଣ୍ଟୋର ‘ଆଗା ଖାଁ ସଂଗ୍ରହାଳୟ’ କ୍ଷମାପ୍ରାର୍ଥନା କରିବା ଉଚିତ ବୋଲି ସୋମବାର ଦିନ ଭାରତୀୟ ହାଇକମିସନ୍ କାନଡୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତୀୟ ହାଇକମିସନ୍ କହିଥିଲେ, ଅସନ୍ତୋଷ ଉଦ୍ରେକକାରୀ କଥାବସ୍ତୁଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ ଆମେ କାନଡୀୟ କର୍ତ୍ତୃପକ୍ଷ ଓ କାର‌୍ୟ୍ୟକ୍ରମର ଆୟୋଜନମାନଙ୍କୁ ଅନୁରୋଧ କରିଛୁ।

ଅନ୍ୟପଟେ ଚଳଚ୍ଚିତ୍ର ନିର୍ମାତ୍ରୀ ଲୀନା ମଣିମେକଲାଇଙ୍କ ନିର୍ଦେଶିତ ଏକ ପ୍ରାମାଣିକ ଚଳଚ୍ଚିତ୍ରର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସରବ୍ୟ ହୋଇଛି। ଏହି ପୋଷ୍ଟର୍ର ଦେବୀ କାଳୀଙ୍କ ରୂପ ଚିତ୍ରଣ ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ ଆଘାତ ହେଇଛି। ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଇ ପ୍ରଥମେ ଉକ୍ତ ଚଳଚ୍ଚିତ୍ରର ଏକ ପୋଷ୍ଟ୍ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।