ରିପୋର୍ଟ ମାଗିଲା ଆୟୁଷ ମନ୍ତ୍ରାଳୟ: କାଇ ପିମ୍ପୁଡ଼ିକୁ ମିଳିପାରେ ଜିଆଇ ଟ୍ୟାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୂରଭଞ୍ଜ ର ଭୌଗଳିକ ପରିଚୟ ହୋଇ ପାରେ କାଇ ପିମ୍ପୁଡ଼ି। ଏ ନେଇ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓୟୁଏଟିକୁ ଡେମୋନ୍‌ଷ୍ଟ୍ରେସନ୍‌ ରିପୋର୍ଟ ମାଗିଛି। କାଇ ପିମ୍ପୁଡ଼ି କୁ ଜିଆଈ ଟ୍ୟାଗ୍ ଦେବାକୁ ଗତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓୟୁଏଟିର ବୈଜ୍ଞାନିକମାନେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟକୁ ଏ ସଂକ୍ରାନ୍ତରେ ଚିଠି ଲେଖି‌ଥିଲେ। କାଇ ପିମ୍ପୁଡ଼ିକୁ କିଏ ନାଲି ପିମ୍ପୁଡ଼ି ତ କିଏ ‘କୁରକୁଟି’ କହିଥାନ୍ତି। ଇଂରାଜୀରେ ଏହାକୁ ‘ରେଡ୍ ଆଣ୍ଟ’ କୁହାଯାଏ।
ଏହାର ଔଷଧୀୟ ଗୁଣ ଯୋଗୁଁ ଏବେ ବି କାଇ ପିମ୍ପୁଡ଼ି ଉପରେ ଗବେଷଣା ଜାରି ରହିଛି।

ମୁଖ୍ୟତଃ ଜଙ୍ଗଲରେ ବଡ଼ବଡ଼ ଗଛ ଶାଳ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ଏମାନେ ବସା ବାନ୍ଧି ରହିଥାଆନ୍ତି। କୁହାଯାଏ, ଛଅ ଶହ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଠର ଦେଉଳରେ ବାଥୁଡି ସଂପ୍ରଦାୟର ଲୋକମାନେ ବସବାସ କରୁଥିବାବେଳେ କାଇ ପିମ୍ପୁଡ଼ିକୁ ପ୍ରଥମେ ଖାଦ୍ୟ ଭାବେ ଗ୍ରହଣ କରିବା ଆରମ୍ଭ କରିଥିଲେ। ପରେ ଏହାକୁ ଔଷଧ ଭାବେ ବ୍ୟବହାର କରାଗଲା। ଏବେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଓୟୁଏଟିକୁ ଡେମୋନ୍‌ଷ୍ଟ୍ରେସନ୍‌ ରିପୋର୍ଟ ମଗାଯାଇଛି ଏହା ପରେ କାଇ ପିମ୍ପୁଡ଼ିକୁ ଜିଆଇ ମାନ୍ୟତା ମିଳିବା ଆଶା ଉଜ୍ବଳ ‌ହୋଇଛି।

Related Posts