ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଛାତ୍ର ଛାତ୍ରୀ ଙ୍କ ଆଡ଼ମିଶନ ନେଇ ବିବୃତି ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ରେ ପିଲାମାନଙ୍କ ପାଇଁ ଯଥେଷ୍ଟ ସିଟ ରହିଛି। ବର୍ତ୍ତମାନ ଯେଉଁ କଲେଜରେ ଯେତିକି ସିଟ ରହିଛି ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ। ଆଜିର ଦିନ ହେଉଛି ପ୍ରତିଯୋଗିତାର ଦିନ। ପିଲାମାନେ ଆଡ଼ମିଶନ ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ, ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ ନିଜ ଯୋଗ୍ୟତା ଅନୁସାରେ ପଢ଼ିବେ। ଯେତିକି ସିଟ କଲେଜରେ ଅଛି, ତାହା ଯଥେଷ୍ଟ। ଗତ ବର୍ଷ କୋଭିଡ ସମୟରେ ୯୭ ପ୍ରତିଶତ ପାସ୍ ହାର ଥିଲା, ସିଟ ସେହି ଅନୁସାରେ ବଢିଥିଲା। ଚଳିତ ଥର ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ।
ସୂଚନା ଅନୁସାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଯାହା ହେଉଛି ସର୍ବକାଳୀନ। ୨୦୨୧ରେ ବିନା ପରୀକ୍ଷାରେ ପରୀକ୍ଷାଫଳ ପ୍ରକାଶ ପାଇଥିବାରୁ ପାସ୍ ହାର ୯୭ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୦ରେ ହୋଇଥିବା ପରୀକ୍ଷାରେ ୭୮.୭୬ ପ୍ରତିଶତ ପାସ୍ ହାର ଥିବାବେଳେ ଚଳିତ ବର୍ଷ ତାହା ୯୦ ପ୍ରତିଶତ ଟପି ଯାଇଛି। ପୂର୍ବରୁ ୨୦୧୭ରେ ସର୍ବାଧିକ ୮୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ।
