ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଳୀ ବିଜେପି ମହିଳା ମୁଖପାତ୍ରଙ୍କ ନାମରେ ସୋସିଆଲ୍‌ ମିଡିଆରେ ଅଶାଳୀନ ଭିଡିଓ ଭାଇରାଲ୍‌ । ହେଲେ ଏହି ଭାଇରାଲ୍‌ ଭିଡିଓଟି ମହିଳା ମୁଖପାତ୍ରଙ୍କର ନୁହେଁ। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ସହ ଦଳକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାରତୀୟ ଜନତା ପାର୍ଟିର ଦିଲ୍ଳୀ ୟୁନିଟ୍‌ ଏ ନେଇ ଅଭିଯୋଗ ଆଣିବା ପ‌ରେ ଘଟଣାଟି ଲୋକଲୋଚନକୁ ଆସିଛି। ଦିଲ୍ଳୀ ପୁଲିସର ସାଇବର୍‌ ସେଲ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ଏକ ୱେବ୍‌ସାଇଟ୍‌ରେ ଜଣେ ମହିଳାଙ୍କର ଏକ ଅଶାଳୀନ ଭିଡିଓ ଅପ୍‌ଲୋଡ କରାଯାଇଛି। ସେହି ମହିଳା ଜଣକ ବିଜେପି ମୁଖପାତ୍ର ବୋଲି ସେଥିରେ ଉଳ୍ଲେଖ କରାଯାଇଛି। ଅନ୍ୟପଟେ ଅଭିଯୋଗ ହେବା ପରେ ଦିଲ୍ଳୀ ପୁଲିସ୍‌ର ସାଇବର୍‌ ସେଲ୍‌ ଆଇପିସିର ଧାରା ୩୫୪ ଏ, ୫୦୯ ଏବଂ ଏକ ଆଇଟି ଆକ୍ଟ ଜରିିଆରେ ତଦନ୍ତ କରୁଛି। ମୁଖପାତ୍ର ଜଣକ ଅଭିଯୋଗ ଆଣିଛନ୍ତି ଯେ କେହି ତାଙ୍କୁ ବଦ୍‌ନାମ କରିବାକୁ ଏପରି କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।