ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡିଆରଆଇର ବଡ଼ ଖୁଲାସା । ମୋବାଇଲ କମ୍ପାନୀ ଓପୋ ଇଣ୍ଡିଆ ଭାରତରୁ ୪୩୮୯ କୋଟି ଟଙ୍କାର ଟ୍ୟାକ୍ସ ଚୋରୀ କରିଛି । ସେପଟେ ଏପ୍ରିଲମାସରେ ଖୁଚୁରା ମୋବାଇଲ ବିକ୍ରେତାଙ୍କ ଏକ ସଂଗଠନ ଅଭିଯୋଗ କରିଥିଲେ କି, ଚୀନ ସ୍ମାର୍ଟଫୋନ ନିର୍ମାତା ଓପୋ କମ୍ପାନୀ ଅନଲାଇନ ପ୍ଲାଟଫର୍ମରେ ଏହାର ଉତ୍ପାଦକୁ ସୀମିତ କରି ଅନ୍ୟାୟ ଭାବେ ବାଣିଜ୍ୟ କରୁଛି । ଅନ୍ୟପଟେ ଡିଆରଆଇ ଏକ ବୟାନ ଜାରି କରି କହିଛି କି ଡିଆରଆଇ ଦ୍ୱାରା ଓପୋ ଇଣ୍ଡିଆର କାର୍ୟ୍ୟାଳୟ ଓ କିଛି ପ୍ରମୁଖ କର୍ମଚାରୀଙ୍କ ବାସଭବନରେ ଚଢାଉ କରାଯାଇଥଲା । ଏଥିରୁ ସ୍ପଷ୍ଟ ହୋଇଛି କି ଓପୋ ଇଣ୍ଡିଆ ଦ୍ୱାରା ବ୍ୟବହାର ପାଇଁ ଆମଦାନୀ ହୋଇଥିବା କିଛି ସାମଗ୍ରୀର ବିବରଣୀକୁ ଭୁଲ ଭାବେ ଦର୍ଶାଯାଇଛି ।
ଏନେଇ ଓପୋ ଇଣ୍ଡିଆର ବରିଷ୍ଠ ପରିଚାଳନା କର୍ମଚାରୀ ଓ ଘରୋଇ ଯୋଗାଣକାରୀ ସଂସ୍ଥାକୁ ଡିଆରଆଇ ଦ୍ୱାରା ପଚରାଉଚରା କରାଯାଇଥିଲା । ଏନେଇ କମ୍ପାନୀ ତରଫରୁ ଅନେକ ଭୁଲ ସୂଚନା ପ୍ରଦାନ କରାଯାଇଥିବା କଥା ଡିଆରଆଇ ତାର ବୟାନରେ କହିଛି । ସେପଟେ ଅନୁସନ୍ଧାନରୁ ଜଣାପଡିଛି କି, ମାଲିକାନା ଟେକ୍ନୋଲୋଜୀ, ବ୍ରାଣ୍ଡ ଏବଂ ଆଇପିଆର ଲାଇସେନ୍ସ ବ୍ୟବହାର ବଦଳରେ ଓପୋ ଇଣ୍ଡିଆ ଚୀନରେ ଅବସ୍ଥିତ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀକୁ ରୟାଲିଟି ଏବଂ ଲାଇସେନ୍ସ ଶୁଳ୍ପ ମାଧ୍ୟମରେ ବେଆଇନ ଅର୍ଥ ପ୍ରଦାନ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





