କଲ୍ଲାକୁରିଚି: ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଅଶାନ୍ତ ହୋଇପଡ଼ିଛି ତାମିଲନାଡୁ। ନ୍ୟାୟ ଦାବିରେ ଅନେକ ସ୍ଥାନରେ ବିକ୍ଷୋଭର ନିଆଁ ଜଳିଛି । ତାମିଲନାଡୁ କଲ୍ଲାକୁରିଚି ଠାରେ ୧୨ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଉତ୍ତେଜିତ ଲୋକମାନେ ଭଙ୍ଗାରୁଜା କରିବା ସହ ଟେକାପଥର ବି ମାଡ଼ କରିଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନା ଦେଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲେ ବି ହିଂସା ଉଗ୍ରରୂପ ନେଇଛି। ପୁଲିସର ବ୍ୟାରିକେଡ୍ ଭାଙ୍ଗି ଉତ୍ତ୍ୟକ୍ତ ଲୋକେ ଚିନ୍ନାସାଲମସ୍ଥ ଏକ ଘରୋଇ ସ୍କୁଲ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ବସ୍ ଜାଳି ଦେଇଛନ୍ତି। କିଛି ଲୋକେ ସ୍କୁଲ୍‌ରେ ଫର୍ଣ୍ଣିଚର ଚୋରି କରି ନେଇଯାଇଥିବା ଦେଖିବାକୁ ମିଳିଛି।

ବ୍ୟାପକ ହିଂସାକୁ ଦେଖି ପୁଲିସ ଫାଙ୍କା ଗୁଳି ଚାଳନା କରଥିବା ବେଳେ କିଛି ଲୋକଙ୍କୁ ଅଟକ ରଖିଛି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମୃତ ନାବାଳିକାଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେବା ସହ ଶାନ୍ତି ବଜାଇ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ବିକ୍ଷୋଭକାରୀଙ୍କ ସହ ବିଭିନ୍ନ ଦଳର ନେତାମାନେ ଘଟଣା ସ୍ଥଳରେ ରହି ମୃତ ସ୍କୁଲ ଛାତ୍ରୀଙ୍କ ପାଇଁ ନ୍ୟାୟା ଦାବି କରି ନାରା ଲଗାଉଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ସହ ବିକ୍ଷୋଭକାରୀମାନେ ଚେନ୍ନାଇ-ସାଲେମ ରାଜରାସ୍ତା ଅବରୋଧ କରିଛନ୍ତି।

ସୂଚନା ଥାଉକି, ଏକ ଘରୋଇ ରେସିଡେନ୍ସିଆଲ୍‌ ସ୍କୁଲ୍‌ରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କର ଜୁଲାଇ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ହଷ୍ଟେଲ ପରିସରରୁ ତାର ମୃତଦେହ ଉଦ୍ଧାର କରାଯାଇଥିଲା। ଛତ୍ରୀ ଜଣଙ୍କ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅଲଗା ତଥ୍ୟ ବାହାରିଛି। ମୃତ୍ୟୁ ପୂର୍ବରୁ ନାବାଳିକା ଶରୀରେ ଆଘାତ ଲାଗିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହାକୁ ନେଇ ତଦନ୍ତ କରି ଛାତ୍ରୀଙ୍କୁ ନ୍ୟାୟା ଦେବା ଦାବିରେ ବିକ୍ଷୋଭ କରାଯାଇଛି। ଏପଟେ ଝିଅର ମୃତ୍ୟୁ ପାଇଁ ତାଙ୍କ ବାପାମା, ସମ୍ପର୍କୀୟ ଓ ତାଙ୍କ ଗାଁ ଚନ୍ଦୁର ଜିଲ୍ଲା ଭେପ୍ପୁରର ପେରିୟନାସାଲୁର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।