ସୁଟିଂ ବିଶ୍ୱକପ୍‌: ସୁଟର ମାଇରାଜ ଅହମ୍ମଦ ଖାନ୍‌ ଜିତିଲେ ସ୍ୱର୍ଣ୍ଣ ପଦକ

ଚାଙ୍ଗଓନ୍‌: ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ । ସୁଟିଂ ବିଶ୍ୱକପ୍‌ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଭେଟେରାନ ସୁଟର ମାଇରାଜ ଅହମ୍ମଦ ଖାନ୍‌ । ଚଳିତ ସେ ସ୍କିଟ୍‌ ଇଭେଣ୍ଟରେ ଭାରତକୁ ପ୍ରଥମ ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ସେହିପରି ମହିଳା ୫୦ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ଟିମ୍‌ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି ।

ପୁରୁଷ ସ୍କିଟ୍‌ ଇଭେଣ୍ଟର ଫାଇନାଲ୍‌ରେ ୪୬ ବର୍ଷୀୟ ମାଇରାଜ ସର୍ବାଧିକ ୩୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କୋରିଆର ମିନସୁ କିମ୍‌ ମାତ୍ର ଗୋଟିଏ ପଏଣ୍ଟ ପଛୁଆ ରହି ରୌପ୍ୟ ଏବଂ ବ୍ରିଟେନର ବେନ୍‌ ଲିଉଲିନ୍‌ ୨୬ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ମାଇରାଜ ଯୋଗ୍ୟତା ରାଉଣ୍ଡରେ ୧୧୯ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହି ର‌୍ୟାଙ୍କିଙ୍ଗ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ରାଙ୍କିଙ୍ଗ୍‌ ରାଉଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ସେ ୨୭ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ରାଉଣ୍ଡରେ ପ୍ରବେଶ କରିଥିଲେ । ଦୁଇ ଥର ଅଲିମ୍ପିଆନ୍‌ ମାଇରାଜ ୨୦୧୬ ରିଓ ଡି ଜାନେରିଓ ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଥିଲେ । ମହିଳା ୫୦ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ ଟିମ୍‌ ଇଭେଣ୍ଟରେ ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା । ଅଞ୍ଜୁମ ମୌଦଗିଲ, ଆଶି ଚୌକସୀ ଓ ସିଫ୍ଟ କୌରଙ୍କୁ ନେଇ ଗଠିତ ଦଳ ତୃତୀୟ ସ୍ଥାନ ମ୍ୟାଚ୍‌ରେ ଅଷ୍ଟ୍ରିୟାକୁ ୧୬-୬ରେ ପରାସ୍ତ କରିଥିଲେ।

Related Posts