ଭୁବନେଶ୍ୱର : ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ଓଡ଼ିଶାର ଝିଅ ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ଗୌରବ ଆଣିଛନ୍ତି । ସମଗ୍ର ଓଡ଼ିଶା ଆଜି ତାଙ୍କ ପାଇଁ ଗୌରବାନିତ ହୋଇଛି ।
ସେପଟେ ଏହି ଗୌରବ ର ସମୟରେ ଦେଶର ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ତାଙ୍କ ନିକଟକୁ ଦେଶର ବିଭିନ୍ନ କୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ରାଜନାଥ ସିଂହ ଶୁଭେଚ୍ଛା ଜଣାଇଛନ୍ତି ।
ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି।
