ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିକ୍ଷକ ନିଯୁକ୍ତି ନେଇ ଗତ ମେ ମାସରେ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ତେବେ ବର୍ତ୍ତମାନ ପୂର୍ବ ରହିତାଦେଶକୁ ହାଇକୋର୍ଟ ହଟାଇ ନେଇଛନ୍ତି । ଶିକ୍ଷକ ନିଯୁକ୍ତି ନେଇ ଯେଉଁ ଆଇନଗତ ପ୍ରତିବନ୍ଧକ ଥିଲା, ତାହା ହଟିଛି । ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକାଧିକ ମାମଲାକୁ ମାନ୍ୟବର ହାଇକୋର୍ଟ ଖାରଜ କରିଛନ୍ତି । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । ଫଳରେ ରାଜ୍ୟରେ ୧୧,୪୦୩ ଶିକ୍ଷକ ନିଯୁକ୍ତି ପାଇଁ ବାଟ ଖୋଲିଛି। ଖୁବଶୀଘ୍ର ନିଯୁକ୍ତି ପାଇବେ ୧୦ ହଜାରରୁ ଊର୍ଦ୍ଧ୍ବ ହାଇସ୍କୁଲ ଶିକ୍ଷକ ।

ଗତବର୍ଷ ଡ଼ିସେମ୍ବର ମାସରେ ଠିକା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏହି ବିଜ୍ଞପ୍ତି ରେ ସ୍ଥାନ ସଂରକ୍ଷଣକୁ ନେଇ ତ୍ରୁଟି ରହିଥିବାର ଅଭିଯୋଗ ହୋଇଥିଲା । ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ହାଇକୋର୍ଟରେ ଏକାଧିକ ମାମଲା ମଧ୍ୟ ଦାୟର ହୋଇଥିଲା । ଯାହା ଉପରେ ଶୁଣାଣୀ କରି ଗତ ମେ ମାସରେ ଶିକ୍ଷକ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ନିଜ ରାୟରେ ଏହା ଉଲ୍ଲେଖ କହିଛନ୍ତି ଯେ , ସ୍ଥାନ ସଂରକ୍ଷଣ କିମ୍ବା ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ , ତେଣୁ ଶିକ୍ଷକ ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ସମସ୍ତ ଆବେଦନକୁ ମାନ୍ୟବର ହାଇକୋର୍ଟ ଖାରଜ କରିଛନ୍ତି ।