ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଲକାତାର ଏକ କୋର୍ଟ ସୋମବାର ପଶ୍ଚିମବଙ୍ଗ ର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ପଠାଇ ଦେଇଛନ୍ତି। ଇଡି ପାର୍ଥଙ୍କ ପାଇଁ ୧୪ ଦିନ ଓ ଅର୍ପିତା ଙ୍କ ପାଇଁ ୧୩ ଦିନ ରିମାଣ୍ଡ ଆବେଦନ କରିଥିଲା। ତେବେ ଦୁଇ ଜଣଙ୍କୁ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଇଡି ରିମାଣ୍ଡରେ ନେଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ମିଳିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଏହାପରେ ଏହି ଟଙ୍କା ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ଅନିୟମିତତା ଘଟଣା ସହ ସମ୍ପୃକ୍ତି ଥିବା ଜାଣି ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ କରିଥିଲା ଇଡି। ଗିରଫ ପରେ ପାର୍ଥ ଚାଟାର୍ଜୀ ଅସୁସ୍ଥ ଥିବା ଦର୍ଶାଇଥିଲେ ତାଙ୍କ ଓକିଲ। ଏହାପରେ ପ୍ରଥମେ କୋଲକାତା ଓ ପରେ ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଓଡ଼ିଶା ଏମ୍ସ କୁ ଅଣାଯାଇଥିଲା। ପାର୍ଥ ସଂପୂର୍ଣ୍ଣ ସୁସ୍ଥ ଥିବା ଏମ୍ସ କର୍ତ୍ତୃପକ୍ଷ ଜଣାଇବା ପରେ ତାଙ୍କୁ ଆଜି ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଛି।
ତେବେ ତାଙ୍କୁ ଶନିବାର ଠାରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ ପଚାର ଉଚରା କରାଯାଇନାହିଁ। ଏମ୍ସ ତରଫରୁ ପାର୍ଥ ସଂପୂର୍ଣ୍ଣ ସୁସ୍ଥ ଥିବା କୁହାଯିବା ପରେ ଅଦାଲତ ତାଙ୍କୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ତେବେ ପାର୍ଥ ଙ୍କୁ ୨୦୧୮ ମସିହାରେ ପଶ୍ଚିମବଙ୍ଗ ରେ ହୋଇଥିବା ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଗିରଫ କରାଯାଇଛି।
