ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟକଳାପକୁ ବିରୋଧ କରି ସରକାରଙ୍କ ଟାର୍ଗେଟ କରୁଥିବା ଅଭିଯୋଗକାରଙ୍କୁ ଆଜି ଶକ୍ତ ଧକା ଲାଗିଛି । ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିବା ସହ ଇଡି କ୍ଷମତାକୁ ବଳବତର ରଖିଛନ୍ତି । ମନି ଲଣ୍ଡରିଂ ଆକ୍ଟର ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୦୦ରୁ ଅଧିକ ଆବେଦନ କରାଯାଇଥିଲା ।ଏଥିରେ କଂଗ୍ରେସ ନେତା କୀର୍ତି ଚିଦାମ୍ବରମ, ଏନସିପି ନେତା ଅନୀଲ ଦେଶମୁଖ ପ୍ରମୁଖ ରହିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ୨୦୧୮ରେ ଆଇନରେ କରାଯାଇଥିବା ସଂଶୋଧନ ସଠିକ । ଏନଫୋର୍ସମେଂଟ କେସ ସୂଚନା ରିପୋର୍ଟ ଏଫଆଇଆର ସହ ଯୋଡା ହୋଇପାରିବ ନାହିଁ । ଅଭିଯୁକ୍ତଙ୍କୁ ଇସିଆଇଆର କପି ଦେବା ମଧ୍ୟ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
୧୭ ବର୍ଷ ପୂର୍ବେ ପିଏମଏଲଏ ଆକ୍ଟ ଲାଗୁ ହୋଇଥିଲା । ୫୪୨୨ ମାମଲାରୁ କେବଳ ୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସମ୍ପତି ଇଡି ସଲଗ୍ନ କରିଛି । ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ କପିଳ ସିବଲ ଓ ଅଭିଷେକ ମନୁ ସିଂଘଭୀଙ୍କ ସମେତ ଅନ୍ୟମାନେ ଏହି ମାମଲାରେ ପକ୍ଷ ଉପସ୍ଥାପନ କରିଥିଲେ ।
