ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ସପିଂ ସମସ୍ତଙ୍କୁ କିମିଆ କରିଛି । ଘରେ ବସି ବସି ଅତି ସହଜରେ ନିଜ ମନପସନ୍ଦର୍ ଜିନିଷ ଘରକୁ ମଗେଇ ପାରୁଛନ୍ତି ଗ୍ରାହକ । ତେବେ ବଢ଼ୁଥିବା ଚାହିଦାକୁ ଦେଖି ଅନେକ ଅନଲାଇନ୍ ସପିଂ ବାହାରିଲାଣି । ଗ୍ରାହକଙ୍କୁ ଲୋଭନୀୟ ଆକର୍ଷନ ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି । ତେବେ ବେଳେବେଳେ ଡେଲିଭରି ହେଉଥିବା ପ୍ରଡକ୍ଟ ଅତ୍ୟନ୍ତ ଖରାପ ପଡୁଥିବାର ମଧ୍ୟ ଅଭିଯୋଗ ଆସୁଛି । ଗ୍ରାହକଙ୍କୁ ଏଭଳି କିଛି ଖରାପ ପ୍ରଡକ୍ଟ ଡେଲିଭରି କରି ଏବେ ଅଡୁଆରେ ପଡିଛି ବିଶ୍ବର ସବୁଠୁ ବଡ ଇ-କମର୍ସ କମ୍ପାନୀ ଆମାଜନ ।

ଆମାଜନ କମ୍ପାନୀ ଖରାପ ତଥା ନିମ୍ନମାନର ପ୍ରେସର କୁକର ଡେଲିଭରି କରିବା ନେଇ ଏହା ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ(CCPA) ।

ସୂଚନାଯୋଗ୍ୟ, ଆମାଜନ କିଛି ଖରାପ ପ୍ରେସର କୁକର୍‌ ବିତରଣ କରିଥିବାର ନିଜରକୁ ଆସିଥିଲା । ଏହାପରେ CCPA ଏହି ଇ-କମର୍ସ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । CCPA ଆମାଜନକୁ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଆମାଜନ ନିଜ ପ୍ଲାଟଫର୍ମ ଜରିଆରେ ବିକ୍ରୟ କରିଥିବା ୨,୨୬୫ଟି ପ୍ରେସର କୁକର କ୍ରେତାଙ୍କୁ ଚିହ୍ନଟ କରିବ । ଏହାପରେ ସମସ୍ତ କ୍ରେତାଙ୍କ ସହ ଯୋଗାଯୋଗ କରି ନିଜର ପ୍ରଡକ୍ଟ ଫେରସ୍ତ ଆଣିବା ସହ ସେମାନଙ୍କ ଟଙ୍କା ଫେରାଇବାକୁ କୁହାଯାଇଛି । CCPA ମୁଖ୍ୟ ନିଧି ଖରେ ଆମାଜନ ବିରୁଦ୍ଧରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ବିବୃତ୍ତି ଜରିଆରେ CCPA ପକ୍ଷରୁ ଏନେଇ ସୂଚୀତ କରାଯାଇଛି।