ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ ପକ୍ରିୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଭୋଟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଅଶ୍ବିନୀ ବୈଷ୍ଣବ, ‘ବିଜେପି’ ଚିଫ୍‌ ହ୍ବିପ୍‌ ରାକେଶ ସିଂହ, ‘ଟିଆର୍‌ଏସ୍‌’ ସାଂସଦ ଏବଂ ‘ୱାଇଏସ୍‌ଆର୍‌ସିପି’ର ରଘୁରାମ କୃଷ୍ଣ ରାଜୁ ମଧ୍ୟ ନିଜ ନିଜର ମତଦାନ କରିଛନ୍ତି।

ଏହି ଭୋଟ୍‌ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଭୋଟ୍‌ ଗ୍ରହଣ ଶେଷ ହେବାକ୍ଷଣି ଗଣନା ଆରମ୍ଭ ହେବ ଏବଂ ବିଳମ୍ବତ ସନ୍ଧ୍ୟାରେ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିବେ। ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୧୧ ତାରିଖ ଦିନ ନୂତନ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଦେଶର ଉପରାଷ୍ଟପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ପ୍ରତି ସମର୍ଥନ ଅଧିକ ରହିଥିବାରୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସେ ଅନାୟାସରେ ପରାସ୍ତ କରି ବୋଲି ଆଶା କରାଯାଉଛି। ‘ଟିଆର୍‌ଏସ୍‌’ ଏବଂ ‘ଆପ୍‌’ ସମର୍ଥନ ପାଇଥିବା ମାର୍ଗାରେଟ୍ ଆଲ୍‌ଭାଙ୍କ ଭୋଟ୍‌ ସେୟାର୍‌ ପ୍ରାୟ ୨୦୦ ଥିବା ବେଳେ ଧନଖଡ଼ଙ୍କ ଭୋଟ୍‌ ସେୟାର୍‌ ୫୧୫ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଉପରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ସଦସ୍ୟମାନଙ୍କ ସମେତ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନେ ଭୋଟ୍‌ ଦେଉଛନ୍ତି ।