ଢାକା : ବାଂଲାଦେଶରେ ଏବେ ଶ୍ରୀଲଙ୍କା ସ୍ଥିତି । ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ଦେଶରେ ଜରୁରୀ ଉପଭୋକ୍ତା ସାମଗ୍ରୀର ଅଭାବ ଦେଖା ଯିବା ସହ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ପରିସ୍ଥିତି ଏପରି ହୋଇଛି ଯେ ଶେଖ ହସିନା ସରକାରଙ୍କୁ ପେଟ୍ରୋଲ ମୂଲ୍ୟରେ ୫୧.୭ପ୍ରତିଶତ ଓ ଡିଜେଲ ଦରରେ ୪୯ ପ୍ରତିଶତ ବୃଦ୍ଧି କରିବାକୁ ପଡିଛି। ବାଂଲାଦେଶ ସ୍ୱାଧୀନତା ପରଠାରୁ ଇନ୍ଧନ ମୂଲ୍ୟରେ ଏହା ସର୍ବବୃହତ୍ତ ବୃଦ୍ଧି ବୋଲି କୁହାଯାଇଛି।

ଦେଶରେ ଇନ୍ଧନର ଏପରି ମୂଲ୍ୟ ବୃଦ୍ଧି ଜନତାଙ୍କୁ ଅସନ୍ତୁଷ୍ଟ କରିଛି। ଲୋକେ ରାସ୍ତାକୁ ଓହ୍ଲାଇ ମୂଲ୍ୟ ବୃଦ୍ଧିକୁ ବିରୋଧ କରୁଥିବା ବେଳେ କେଉଁଠି କେଉଁଠି କାଁଭାଁ ହିଂସା ଖବର ମଧ୍ୟ ଆସୁଛି। ବିକ୍ଷୋଭକାରୀ ଇନ୍ଧନ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ଦାବି କରୁଛନ୍ତି। ଏହି ମୂଲ୍ୟ ବୃଦ୍ଧି ପରେ ବାଂଲାଦେଶରେ ପେଟ୍ରୋଲ ପ୍ରତି ଲିଟର ଦର ୧୩୫ ଟାକାକୁ ପହଞ୍ଚିଥିବାବେଳେ ଡିଜେଲ ମୂଲ୍ୟ ମଧ୍ୟ ବଢି ଯାଇଛି।

ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ଯୋଗୁ ବାଂଲାଦେଶ ନିକଟରେ ଆଉ ମାତ୍ର ୪-୫ ମାସ ନିମନ୍ତେ ତୈଳ ଆମଦାନୀ କ୍ଷମତା ରହିଛି। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୧ ବିଲିୟନ ଡଲାରରୁ ଅଧିକ ଆର୍ଥିକ ପ୍ୟାକେଜ ଦେବା ଲାଗି ମନା କରିଦେଇଛନ୍ତି। ଯାହା ଦେଶରେ ଏବେ ହସିନା ସରକାରଙ୍କ ସମସ୍ୟା ବଢାଇ ଦେଇଛି। ତେବେ ଦେଶରେ ଏପରି ଇନ୍ଧନ ମୂଲ୍ୟ ବୃଦ୍ଧି ଲାଗି ହସିନା ସରକାର ଋଷିଆ-ୟୁକ୍ରେନ ଯୁଦ୍ଧକୁ କାରଣ ବୋଲି କହୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉପୁଜିଥିବା ପରିସ୍ଥିତିରେ ବାଂଲାଦେଶ ଆଇଏମଏଫଙ୍କୁ ୪ ବିଲିୟନ ଡଲାର ଆର୍ଥିକ ପ୍ୟାକେଜ୍ ନିମନ୍ତେ ନିବେଦନ କରିଥିଲେ। ତେବେ ଦେଶର ପରିସ୍ଥିତିକୁ ଆକଳନ କରି ଆଇଏମଏଫ ୧ ବିଲିୟନ ଡଲାରରୁ ଅଧିକ ଦେଇ ହେବ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। ଏଥିରେ ବୈଦେଶିକ ମୁଦ୍ରା ଅଭାବ ଯୋଗୁ ଦେଶକୁ ଜରୁରୀ ସାମଗ୍ରୀ ଆମଦାନୀ ଏବେ ପ୍ରଭାବିତ ହେଉଛି। ଏଣୁ ବାଂଲାଦେଶ ଅଳ୍ପବହୁତେ ଶ୍ରୀଲଙ୍କା ଭଳି ସ୍ଥିତିକୁ ଆସି ଯାଇଛି।

ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରଭାବ ଆଗକୁ ମୂଲ୍ୟ ବୃଦ୍ଧି ଭାବେ ଦେଖାଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତ ଜୁନମାସରେ ବାଂଲାଦେଶର ମୁଦ୍ରାସ୍ପିତି ହାର ୭.୫୬ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା। ଯାହା ଗତ ୯ ବର୍ଷର ସବୁଠୁ ଉଚ୍ଚତମ ସ୍ତର ଥିଲା। ଦେଶରେ ହ୍ରାସ ପାଉଥିବା ବୈଦେଶିକ ମୁଦ୍ରାଭଣ୍ଡାରକୁ ସମ୍ଭାଳିବା ପାଇଁ ସରକାର ଅନେକ ଉପାୟ କରିଛନ୍ତି। ଏଥିରେ ଇନ୍ଧନ ଆମଦାନୀ କାଟ କରିଥିବା ବେଳେ ବିଳାଶମୟ ସାମଗ୍ରୀ ଆମଦାନୀ ମଧ୍ୟ ବନ୍ଦ କରିଛନ୍ତି। ତୈଳ ଆମଦାନୀ କାଟ କରିଥିବା ଯୋଗୁ ଦେଶରେ ଥିବା ଡିଜେଲ ଚାଳିତ ଶକ୍ତି କେନ୍ଦ୍ରଗୁ଼ଡିକ ବନ୍ଦ ହୋଇଯାଇଛି।