ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ମହାନଦୀରେ ବନ୍ୟା ଆଶଙ୍କା କରି ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହ ସମସ୍ତେ ଆଲର୍ଟ ମୋଡ୍ରେ ରହିଛନ୍ତି। ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ମଧ୍ୟ ଏହି ଭଳି ବର୍ଷା ଜାରି ରୁହେ, ତେବେ ମହାନଦୀରେ ସ୍ବଳ୍ପ ଧରଣର ବନ୍ୟା ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ରବିବାର ସକାଳ ୮ଟାରେ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ତେବେ ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୮ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଗେଟ୍ ସଂଖ୍ୟା ବଢ଼ିପାରେ। ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
