ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜନୈତିକ ଦଳଗୁଡିକ ପକ୍ଷରୁ ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ଆଜି ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ହିମା ଖୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର କହିଛନ୍ତି ଯେ ବିନା ମୂଲ୍ୟରେ ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳ ପକ୍ଷରୁ କରାଯାଉଥିବା ଯୋଜନା ଘୋଷଣାକୁ କୋର୍ଟ ରୋକି ପାରିବେ ନାହିଁ।
ପ୍ରଧାନ ବିଚାରପତି ରମନା ଏନେଇ କହିଛନ୍ତି ଯେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସରକାରଙ୍କ କାମ। ଜନସାଧାରଣଙ୍କ ଟଙ୍କା କିପରି ଠିକ୍ ବାଟରେ ଖର୍ଚ୍ଚ ହେବ ତାହା ଚିନ୍ତାର ବିଷୟ ବୋଲି କୋର୍ଟ କହିଛନ୍ତି। ଏହି ବିଷୟଟି ବହୁତ ଜଟିଳ। ଏହି ପ୍ରସଙ୍ଗ ଉପରେ ଏବେ ପ୍ରଶ୍ନ ଉଠିଛି ଯେ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦେବାକୁ କ୍ଷମତା ରଖିଛନ୍ତି କି? ପ୍ରଧାନ ବିଚାରପତି ଏନେଇ କହିଛନ୍ତି ଯେ କେଉଁ ଯୋଜନାକୁ ମାଗଣା ଘୋଷଣାରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ କେଉଁଟି ନୁହେଁ, ଏହା ଏକ ଜଟିଳ ପ୍ରସଙ୍ଗ। ଆମେ ରାଜନୈତିକ ଦଳଗୁଡ଼ିକୁ ପ୍ରତିଶ୍ରୁତି ଦେବା ବନ୍ଦ କରବା ଲାଗି ରୋକି ପାରିବୁ ନାହିଁ।
ତେବେ କେବଳ ମାଗଣା ଯୋଜନା ଓ ପ୍ରତିଶ୍ରୁତି ଆଧାରରେ ରାଜନୈତିକ ଦଳମାନେ ନିର୍ବାଚନରେ ବିଜୟ ହୁଅନ୍ତି ନାହିଁ ବୋଲି କୋର୍ଟ କହିଛନ୍ତି। ଏହା ସହିତ ପ୍ରଧାନ ବିଚାରପତି ମନରେଗାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବେଳେବେଳେ ରାଜନୈତିକ ଦଳ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଏହା ପରେ ମଧ୍ୟ ସେମାନେ ନିର୍ବାଚନ ଜିତି ପାରନ୍ତି ନାହିଁ। ଆସନ୍ତା ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ସୁଦ୍ଧା ଏହି ପ୍ରସଙ୍ଗରେ ଏକ କମିଟି ଗଠନ ନେଇ ମତାମତ ସଂଗ୍ରହ ପରେ ସୋମବାର ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
