ମୋଗାଦିଶୁ: ସୋମାଲିଆର ରାଜଧାନୀ ମୋଗାଦିଶୁରେ ଅଘଟଣ । ‘ଅଲ୍‌-ଶବାବ’ ଆତଙ୍କବାଦୀମାନେ ଗୋଟାଏ ହୋଟେଲ୍‌ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି । ଫଳରେ ଏଥିରେ ଅନ୍ୟୂନ ୧୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଦୁଇଟି କାର୍‌ ବୋମା ବିସ୍ଫୋରଣ କରି ‘ହାୟାତ୍‌ ହେଟେଲ୍‌’ରେ ଆକ୍ରମଣ କରିଥିଲେ। ଏହାପରେ ସେମାନେ ଗୁଳି ଫୁଟାଇ ଭିତରେ ପ୍ରବେଶ କରିବା ସହ ହୋଟେଲ୍‌କୁ ନିୟନ୍ତ୍ରଣାଧୀନ କରିଥିଲେ।

ମହମ୍ମଦ୍‌ ନାମରେ ଜଣେ ଗୁଇନ୍ଦା ଅଧିକାରୀ ‘ରଏଟର୍ସ’କୁ କହିଛନ୍ତି, ଏଯାବତ୍‌ ୧୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଆମେ ସୁନିଶ୍ଚିତ କରି କହୁଛୁ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାଧାରଣ ନାଗରିକ। ଆତଙ୍କବାଦୀଙ୍କୁ ନିପାତ କରିବା ଅଭିଯାନ ପ୍ରାୟ ଶେଷ ହୋଇ ଆସିଥିଲେ ବି ଗୁଳି ବିନିମୟ ଚାଲିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଆତଙ୍କବାଦୀମାନଙ୍କ କବଳରୁ ହୋଟେଲ୍‌କୁ ମୁକ୍ତ କରିବାକୁ ସରକାରୀ ସେନା ଉଦ୍ୟମ କରୁଥିବା ବେଳେ ରାତିରେ ବିସ୍ଫୋରଣ ଶବ୍ଦ ଶୁଭୁଥିଲା। ଗୁଳି ଓ ବିସ୍ଫୋରଣ ଯୋଗୁଁ ହୋଟେଲ୍‌ର ବହୁଳାଂଶ ନଷ୍ଟ ହୋଇ ଯାଇଛି।

ଏହି ଆକ୍ରମଣ ପାଇଁ ‘କାଏଦା’ର ସହଯୋଗୀ ଆତଙ୍କବାଦୀ ସଙ୍ଗଠନ ‘ଅଲ୍‌-ଶବାବ୍’ ଗୋଷ୍ଠୀ ଦାୟୀ ବୋଲି ଏକ ବିବୃତିରେ କହିଛନ୍ତି। ସୋମାଲି ସରକାରକୁ ହଟାଇବା ପାଇଁ ୧୦ ବର୍ଷରୁ ଅଧିକ କାଳ ହେବ ‘ଅଲ୍‌-ଶବାବ୍‌’ ଉଦ୍ୟମ କରି ଆସୁଛି। କଠୋର ଇସ୍‌ଲାମୀୟ ଆଇନଭିତ୍ତିକ ନିଜସ୍ବ ଶାସନ ଚଳାଇବା ପାଇଁ ‘ଅଲ୍‌-ଶବାବ୍‌’ ଏଭଳି ଉଦ୍ୟମ କରୁଥିବା ଜଣାପଡ଼ିଛି।

‘ହୋଟେଲ ହାୟାତ୍‌’ରେ ସାଂସଦ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଏକତ୍ର ହୁଅନ୍ତି। ଏବେ ସେଠାରେ କୌଣସି ସାଂସଦ କି, ସରକାରୀ ଅଧିକାରୀ ଫସି ରହିଛନ୍ତି, ତାହା ଜଣାପଡ଼ିନାହିଁ।