ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୋଲିସ୍ ଭ୍ୟାନରେ ବସି ଜନ୍ମଦିନ କେକ୍ କାଟିଲା ହତ୍ୟା ଅଭିଯୁକ୍ତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହସାନଗର ଅଞ୍ଚଳରୁ । ତେବେ ଅଭିଯୁକ୍ତ ଜଣକ କେକ୍ କାଟୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହତ୍ୟା ମାମଲାରେ ଅଭିଯୁକ୍ତ ରୋଶନ ଝା ଜେଲରେ ଅଛି । ଉଲହସାନଗରର ବାସିନ୍ଦା ରୋଶନ ଝା ଜଣେ ଗ୍ୟାଙ୍ଗଷ୍ଟର ଏବଂ ତାକୁ ହତ୍ୟା, ହତ୍ୟା ଉଦ୍ୟମ, ଚୋରା ଚାଲାଣ ଏବଂ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଅନେକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି ।
ତେବେ ମିଳିଥିବା ସୂଚନା ଅନୁସାରେ ରୋଶନକୁ ଜେଲରୁ କଲ୍ୟାଣ କୋର୍ଟକୁ ଅଣାଯାଉଥିବା ସମୟରେ ସେ ପୋଲିସ ଭ୍ୟାନରେ କେକ୍ କାଟୁଥିବା ନଜର ଆସିଛି । ପରେ ରୋଶନର ସମର୍ଥକମାନେ କେକ୍ କାଟିବାର ଏକ ଭିଡିଓ କଏଦ କରିଥିଲେ ଏବଂ ଏହାକୁ ସେମାନଙ୍କ ହ୍ବାଟ୍ସଅପ ଷ୍ଟାଟସରେ ପୋଷ୍ଟ କରିଥିଲେ ଯାହା ଦ୍ବାରା ଏହା ଭାଇରାଲ୍ ହୋଇଥିଲା । ଏହାପରେ ପୋଲିସ୍ କିପରି ଅଭିଯୁକ୍ତକୁ କେକ୍ କାଟିବାକୁ ଅନୁମତି ଦେଲା ଏବଂ ଏଥିରେ ହସ୍ତକ୍ଷେପ ନ କରିବା ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି।
