ଇମ୍ରାନ ଖାନଙ୍କୁ ଆଶ୍ବସ୍ତି, ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ଇସଲାମାବାଦ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ବଡ ଆଶ୍ବସ୍ତି ମିଳିଛି । ତାଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଛନ୍ତି ଇସଲାମାବାଦ ହାଇକୋର୍ଟ । ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କୁ ଗିରଫ କରାଯାଇପାରିବ ନାହିଁ । ଏକ ଅପରାଧିକ ମାମଲାରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଇସଲାମାବାଦ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଇମ୍ରାନ। ଏହାର ଶୁଣାଣି କରି କୋର୍ଟ ଅଗଷ୍ଟ ୨୫ ତାରିଖ ଯାଏଁ ଇମ୍ରାନ ଖାନଙ୍କୁ ଟ୍ରାଞ୍ଜିଟ୍‌ ଜାମିନ ପ୍ରଦାନ କରିଛନ୍ତି ।

ପାକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଟିଆଇ ଦଳର ଲିଗାଲ୍‌ ଟିମ୍‌ ଗିରଫ ପୂର୍ବରୁ ହିଁ ଜାମିନ ପାଇଁ ଆବେଦନ କରିଥିଲେ । ଆବେଦନରେ କୁହାଯାଇଥିଲା ଯେ, ଇମ୍ରାନ ଖାନଙ୍କୁ ଯେତେବେଳେ ବି କୋର୍ଟ ହାଜର ହେବାକୁ କହିବେ ତତ୍‌କ୍ଷଣାତ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ରାଲିରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଏବଂ ଜଣେ ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଆତଙ୍କବାଦୀ ବିରୋଧୀ ଅଧିନିୟମ (ଏନଆଇଏ) ଆଧାରରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ଯେକୌଣସି ମୁହୁର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏନେଇ ଇମ୍ରାନ ଖାନଙ୍କୁ ବଡ ଆଶ୍ବସ୍ତି ମିଳିଛି । ଅଗଷ୍ଟ ୨୫ ତାରିଖ ଯାଏଁ ଇମ୍ରାନ ଖାନଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Posts