ମୁସଲିମ ମନ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ବିବାଦରେ ନୀତୀଶ କୁମାର, ହିନ୍ଦୁ ମାନଙ୍କୁ କ୍ଷମା ମାଗିବାକୁ ଦାବି କଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ମୁସଲିମ ମନ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ପୂଜାର୍ଚ୍ଚନା ବେଳେ ମନ୍ତ୍ରୀ ଜଣଙ୍କ ନୀତୀଶ କୁମାରଙ୍କ ପାଖରେ ରହିଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଏପରି କରି ନୀତୀଶ କୁମାର ହିନ୍ଦୁ ଲୋକମାନଙ୍କ ଭାବାବେଗଙ୍କୁ ଆଘାତ ପହଞ୍ଚାଇଛନ୍ତି।ତେଣୁ ସେ ସମସ୍ତଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

ତେବେ ଗୟାରେ ଥିବା ବିଷ୍ଣୁପଦ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲାଗିଛି। ଦୀର୍ଘ ୧୦୦ ବର୍ଷ ହେବ ଏହି ନିୟମ ଲାଗୁ ହେଉଥିବା ବେଳେ ମନ୍ଦିର ସାମ୍ନାରେ ମଧ୍ୟ ଅଣ ହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ ବୋଲି ଉଲ୍ଲେଖ କରାଯାଇଛି। ହେଲେ ନୀତୀଶ କୁମାର ମନ୍ଦିର ଭିତରକୁ ରାଜ୍ୟର ଆଇଟି ମନ୍ତ୍ରୀ ମହମ୍ମଦ ଇସରାଇଲ ମାନସୁରୀଙ୍କୁ ନେଇ ପ୍ରବେଶ କରିବାରୁ ବିବାଦ ସୃଷ୍ଟି କରିଛି। ସେ ମନ୍ଦିର ଭିତରକୁ ଯାଇ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କ ପାଖେପାଖେ ମନ୍ତ୍ରୀ ମାନସୁରୀ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ଆଉ କିଛି ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିବା ଫଟୋ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାକୁ ନେଇ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି ବିଜେପିର ବିହାର ମୁଖ୍ୟ ସଞ୍ଜୟ ଜୈସୱାଲ। ସେ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସଞ୍ଜୟ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭଲ ଭାବେ ଜାଣିଛନ୍ତି ଯେ ମନ୍ଦିରର ଗର୍ଭଗୃହକୁ ଅଣ ହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ। ହେଲେ ଜାଣିଶୁଣି ହିନ୍ଦୁମାନଙ୍କୁ କଟାକ୍ଷ କରିବା ପାଇଁ ଏପରି କାମ କରିଛନ୍ତି। ଏହା ନୀତିଶ ଙ୍କର ଷଡ଼ଯନ୍ତ୍ରର ଗୋଟିଏ ଅଂଶ ବିଶେଷ। ସେ ହିନ୍ଦୁମାନଙ୍କୁ ଯେମିତି ହେଲେ କ୍ଷମା ମାଗନ୍ତୁ।”

ବିଜେପି ମୁଖପାତ୍ର ନିଖିଲ ଆନନ୍ଦ ମଧ୍ୟ ନୀତୀଶ କୁମାର ହିନ୍ଦୁମାନଙ୍କୁ ଆଘାତ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ନୀତୀଶ କୁମାରଙ୍କୁ ଏପରି ଆଚରଣ ପାଇଁ ଟାର୍ଗେଟ କରାଯାଇଛି। ସେମାନେ କହିଛନ୍ତି ଯେ ମନ୍ଦିର କର୍ତ୍ତୃପକ୍ଷ ମାନସୁରୀଙ୍କୁ ଚିହ୍ନ ପାରି ନଥିଲେ। ହେଲେ ଯେଉଁମାନେ ତାଙ୍କୁ ଜାଣିଛନ୍ତି, ସେମାନେ କେମିତି ନିୟମ ଉଲ୍ଲଙ୍ଘନ କଲେ ବୋଲି ମନ୍ଦିର ମ୍ୟାନେଜମେଣ୍ଟ ପ୍ରଶ୍ନ କରିଛି।

Related Posts