ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ୨.୦କୁ ଉଦଘାଟନ କରିଛନ୍ତି। ଷ୍ଟାର୍ଟଅପ୍‌ ଓଡ଼ିଶାର ଏହି ପ୍ରମୁଖ କାର୍ଯ୍ୟକ୍ରମ ଆସନ୍ତା ୬୦ ଦିନରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିରେ ତୃଣମୂଳ ସ୍ତରରେ ଥିବା ନବସୃଜନକାରୀ, ମହିଳା ଉଦ୍ୟୋଗୀଙ୍କୁ ସନ୍ଧାନ କରିବା ଓ ଯୁବପିଢ଼ିଙ୍କ ଭିତରେ ଉଦ୍ୟମିତାର ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି।ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଯୁବକଯୁବତୀଙ୍କ ମଧ୍ୟରେ ଉଦ୍ୟମିତାର ଭାବ ଏବଂ ସେମାନଙ୍କ ଭିତରେ ନୂତନ ଚିନ୍ତାଧାରା ସୃଷ୍ଟି କରିବାର ସଂସ୍କୃତି ଜାଗ୍ରତ କରିବ। ଏହି ଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଟ୍‌ କ୍ୟାମ୍ପ୍ ଆୟୋଜନ କରାଯିବ। ଏକ ଭ୍ୟାନ୍‌କୁ ମଧ୍ୟ ଲୋକାର୍ପଣ କରାଯାଇଛି। ୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପ୍ ସଂସ୍ଥା ଖୋଲିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେଥିପାଇଁ ଦରକାର ହେଉଥିବା ଚିନ୍ତାଧାରାଗୁଡ଼ିକୁ ସାମ୍ନାକୁ ଆଣିବାରେ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ସହାୟକ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୧୩୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛନ୍ତି ଯେଉଁମାନେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ୪୦ ପ୍ରତିଶତ ଷ୍ଟାର୍ଟଅପ୍ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ଏହି ଅବସରରେ ଏମ୍ଏସଏମ୍‌ଇ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ୫-ଟି ସଚିବ ଭି କେ ପାଣ୍ଡିଆନ, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର୍ ରାଏ ଓ ୫୦ରୁ ଅଧିକ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଉପସ୍ଥିତ ଥିଲେ।