ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ସୃଷ୍ଟି ହୋଇଥିବା କମ୍ପନର ଝଟକା ଆଜି ମଧ୍ୟ ଅନୁଭୂତ ହେଉଛି। ଆଜାଦ ୫ ପୃଷ୍ଠାର ଚିଠି ଲେଖି ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଥିରେ କଂଗ୍ରେସରେ ଚାଲିଥିବା ଗୁପ୍ତ ଚାଟୁକାରିତା କୋଟରୀକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଉପରେ ମଧ୍ୟ ବର୍ଷିଥିଲେ ଆଜାଦ୍। ତେବେ ଆଜି ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ ମଧ୍ୟ ଚାଟୁକାରିତା ପ୍ରସଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ମଧ୍ୟ ଗୁଲାମଙ୍କ ଭଳି କଂଗ୍ରେସର ଚାଟୁକାର ମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ କଂଗ୍ରେସ ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, “ଦୁଇ ବର୍ଷ ତଳେ ଆମ ଭିତରୁ ୨୩ ଜଣ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦଳର ସ୍ଥିତି ସମ୍ପର୍କରେ ଜଣାଇଥିଲୁ ଓ ଏହାକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଥିଲୁ। କଂଗ୍ରେସ ସେହି ଚିଠି ପରେ ସବୁ ବିଧାନସଭା ନିର୍ବାଚନରେ ହାରିଥିଲା। ୧୮୮୫ରୁ ଭାରତ ଓ କଂଗ୍ରେସ ମଧ୍ୟରେ ଯେଉଁ ସମନ୍ୱୟ ରହିଥିଲା, ଏବେ ସେଥିରେ ଫାଟ ସୃଷ୍ଟି ହୋଇଛି। ତେଣୁ ଆତ୍ମସମୀକ୍ଷାର ଆବଶ୍ୟକ ରହିଥିଲା। ୨୦୨୦ ଡିସେମ୍ବର ୨୦ରେ ସୋନିଆ ଗାନ୍ଧିଙ୍କ ବାସଭବନରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଯଦି କାର୍ଯ୍ୟକାରୀ କରାଯାଇ ଥାଆନ୍ତା, ତା’ହେଲେ ଆଜି ଏପରି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।”
ଆଜାଦାଙ୍କ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି ଗାନ୍ଧି ପରିବାରର କିଛି ତଥାକଥିତ ଖାସ ନେତାଙ୍କୁ ମଧ୍ୟ ତିୱାରୀ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ଆଜାଦଙ୍କ ଚିଠିର ଠିକ୍ ଭୁଲ ଉପରେ ମୁଁ ଯିବାକୁ ଚାହୁଁନି। ସେ ହିଁ ସବୁ କଥାର ସ୍ପଷ୍ଟୀକରଣ ଦେଇ ପାରିବେ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁ ଲୋକମାନଙ୍କର ୱାର୍ଡ ମେମ୍ବର ନିର୍ବାଚନ ଲଢ଼ିବାର କ୍ଷମତା ନାହିଁ ଓ କଂଗ୍ରେସ ନେତାମାନଙ୍କ ଚପରାସି ଥିଲେ, ସେମାନେ ଏବେ ଦଳକୁ ଜ୍ଞାନ ବାଣ୍ଟିବା ହାସ୍ୟାସ୍ପଦ।”କଂଗ୍ରେସର ଜଣେ ସଦସ୍ୟ ଭାବେ ସାଂସଦ ମନୀଷ ତିୱାରୀ କହିଛନ୍ତି, “ଆମକୁ କାହାର ମଧ୍ୟ ପ୍ରମାଣପତ୍ର ଦରକାର ନାହିଁ। ମୁଁ ଏହି ପାର୍ଟିକୁ ୪୨ ବର୍ଷ ଦେଇ ସାରିଲିଣି। ମୁଁ ଏକଥା ପୂର୍ବରୁ ମଧ୍ୟ କହିଛି। ଆମେ କଂଗ୍ରେସର ଭଡ଼ାଟିଆ ଲୋକ ନୁହଁ। ଆମେ ସଦସ୍ୟ। ହଁ ଯଦି କେହି ଆମକୁ ବଳ ପୂର୍ବରୁ ଏଥିରୁ ବାହାର କରିବାକୁ ଚେଷ୍ଟା କରେ, ତା’ହେଲେ ତାହା ଭିନ୍ନ କଥା।” ଟେ
ତେବେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ରେ “ଚାଟୁକାରିତା” ପ୍ରସଙ୍ଗରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ଦଳର ଅଧିକାଂଶ ବରିଷ୍ଠ ନେତା ଏହାକୁ ପରୋକ୍ଷରେ ସ୍ବୀକାର ମଧ୍ୟ କରିଛନ୍ତି। ହେଲେ ମନୀଷ ତିୱାରୀ ଙ୍କର ଖୋଲା ଖୋଲି ଚାଟୁକାରିତା ପ୍ରସଙ୍ଗକୁ ସମର୍ଥନ ଦଳ ମଧ୍ୟରେ ଯେ କିଛି ଠିକ୍ ନାହିଁ ତାହାକୁ ଦର୍ଶାଉଛି ବୋଲି ରାଜନୈତିକ ପଣ୍ଡିତ ମାନେ ମତ ଦେଇଛନ୍ତି।





