ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ବିକୃତ ଗଣେଶ ମୂର୍ତ୍ତିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଓ କ୍ଲବଗୁଡ଼ିକୁ ପୁନଃ ସଚେତନ ହେବାକୁ କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ ଅପିଲ କରିଛନ୍ତି ଡିସିପି।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହାଇକୋର୍ଟକୁ କଥା ଯିବା ପରେ ପୁଲିସ ପକ୍ଷରୁ ସରକାରୀ ଓକିଲଙ୍କ ଜରିଆରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ଯାହା ପରେ ହାଇକୋର୍ଟ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ପୁଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି। କୌଣସି ସ୍ଥାନରେ ଏଭଳି ମୃତ୍ତି ନିର୍ମାଣ ହେଉଥିଲେ କିମ୍ବା ମଣ୍ଡପରେ ବସୁଥିଲେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ ଗ୍ରହଣ କରାଯିବନି ବୋଲି ସେ କହିଛନ୍ତି।
ସୂଚନା ଥାଉକି, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା।ଅଭିଯୋଗକୁ ଭିତ୍ତି କରି ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୁଲିସ୍। ମୂର୍ତ୍ତି କାରିଗରଙ୍କୁ ଥାନାକୁ ଡାକି ତାଗିଦ୍ ମଧ୍ୟ କରିଥିଲା। ପୁଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ। ମାତ୍ର ହାଇକୋର୍ଟ ସମସ୍ତ ନିଷ୍ପତି ପୋଲିସ ନେବ ବୋଲି କହି ଘଟଣାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
