“ରାଜନୀତି ଏତେ ଖରାପ ବୋଲି ଜାଣିଥିଲେ, ମୁଁ କେବେ ରାଜନୀତିରେ ପ୍ରବେଶ କରି ନଥାନ୍ତି”: ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ରୀୟ ଏଜେନ୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ଜେରା ପାଇଁ ଡକାଇଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଡାକରାକୁ l ପ୍ରତିଶୋଧ ରାଜନୀତି ବୋଲି ମମତା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, “ମୁଁ ଯଦି ଆଗରୁ ଜାଣିଥାନ୍ତି ରାଜନୀତି ଏତେ ଖରାପ, ତେବେ ମୁଁ କେବେ ରାଜନୀତିରେ ପ୍ରବେଶ କରି ନଥାନ୍ତି।”

ସେ ପୁଣି ଅଭିଯୋଗ କରିଛନ୍ତି ଯେ ଗୋରୁ ଚାଲାଣ ଓ କୋଇଲା ଚୋରା ଚାଲାଣ ପ୍ରସଙ୍ଗ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ହେଲେ କେନ୍ଦ୍ର ସରକାର ଏଥିରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି ତୁମେ ସବୁବେଳେ ଲୋକଙ୍କୁ ବୋକା ବନେଇ ପାରିବ ନାହିଁ, ତୁମେ ବିନା ପ୍ରମାଣରେ ଗଣମାଧ୍ୟମରେ ବିରୋଧୀଙ୍କୁ ବଦନାମ କରୁଛ। ତୁମେ କେଉଁ ପ୍ରକାର ଭାଷା ବ୍ୟବହାର କରୁଛ ତାକୁ ତୁମେ ନିଜେ ଭାବିବା ଉଚିତ । ଯଦି ସମାନ କାର୍ଯ୍ୟ ତୁମ ସହ କରାଯାଏ ତେବେ ତୁମର କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କୋଇଲା ଦୁର୍ନୀତି ମାମଲାରେ ଇଡ଼ି ପଚରାଉଚରା ପାଇଁ ଡକାଯାଇଛି। ତେବେ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଏହି ଡାକରାକୁ ଖୋଲା ହିଂସା ବୋଲି କହି ପ୍ରତିକ୍ରିୟା ରଖିଛନ୍ତି ମମତା ।

Related Posts