ଆବୁଧାବି: ଆବୁଧାବିରେ ନିର୍ମାଣା ହୋଇଛି ସର୍ବପ୍ରଥମ ହିନ୍ଦୁ ମନ୍ଦିର । ତେବେ ଏହି ମନ୍ଦିରର ସ୍ଥଳ ପରିଦର୍ଶନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ତେବେ ପରିଦର୍ଶନ ସମୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ, ଏହା ହେଉଛି ଶାନ୍ତି, ସହନଶୀଳତା ଏବଂ ସହାବସ୍ଥାନର ସଙ୍କେତ।

୩ଦିନିଆ ଉପସାଗରୀୟ ଦେଶ ଗସ୍ତରେ ଯାଇ ବୁଧବାର ଦିନ ‘ସଂଯୁକ୍ତ ଆରବ ଏମିରେଟ୍‌ସ୍‌’ରେ (ୟୁଏଇ) ପହଞ୍ଚିଥିବା ଏସ୍‌. ଜୟଶଙ୍କର ମନ୍ଦିର ନିର୍ମାଣରେ ଭାରତୀୟମାନଙ୍କର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ଗଣେଶ ଚତୁର୍ଥୀ ଦିନ ଆବୁଧାବିରେ ନିର୍ମାଣାଧୀନ ‘ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସଂସ୍ଥା’ (ବିଏପିଏସ୍‌) ହିନ୍ଦୁ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛି। ନିର୍ମାଣ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ଏବଂ ସେଥିରୁ ସମ୍ପୃକ୍ତ ଥିବା ସମସ୍ତଙ୍କର ମନୋନିବେଶକୁ ଆନ୍ତରିକତାର ସହ ପ୍ରଶଂସା କରୁଛି। ନିର୍ମାଣସ୍ଥଳରେ ଥିବା ‘ବିଏପିଏସ୍‌’ ଟିମ୍‌, ସମ୍ପ୍ରଦାୟର ସମର୍ଥକ, ଭକ୍ତ ଏବଂ କାରିଗରମାନଙ୍କୁ ମଧ୍ୟ ଭେଟିଲି।

ଏହା ବ୍ୟତିରେକେ, ଜୟଶଙ୍କର ସହନଶୀଳତା ଓ ସହାବସ୍ଥାନ ମନ୍ତ୍ରୀ ଶେଖ୍‌ ନାହ୍ୟାନ୍‌ ବିନ୍‌ ମବାରକ୍‌ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟି ଭାରତୀୟ ସମ୍ପ୍ରଦାୟ, ଯୋଗ କାର୍ଯ୍ୟକ୍ରମ, କ୍ରିକେଟ୍‌ ଏବଂ ସାଂସ୍କୃତିକ ସହଯୋଗିତା ପ୍ରତି ତାଙ୍କର ଦୃଢ଼ ସମର୍ଥନକୁ ପ୍ରଶଂସା କରିଥିଲେ।

‘ସଂଯୁକ୍ତ ଆରବ ଏମିରେଟ୍‌ସ୍‌’ରେ ଥିବା ଭାରତୀୟ ଦୂତାବାସ ମଧ୍ୟ ପୂର୍ବରୁ ଟୁଇଟ୍‌ କରି ଲେଖିଥିଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କରଙ୍କ ମାଙ୍ଗଳିକ ଗସ୍ତ ଶୁଭାରମ୍ଭ ହୋଇଛି। ‘ବିଏପିଏସ୍’ର ଆବୁଧାବି ମନ୍ଦିର ସ୍ଥଳୀ ପରିଦର୍ଶନ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ମନ୍ଦିରର ଜଟିଳ ଢାଞ୍ଚାରେ ଇଟା ଖଣ୍ଡେ ଖଞ୍ଜିଛନ୍ତି। ଶାନ୍ତି, ସହନଶୀଳତା ଏବଂ ସହାବସ୍ଥାନର ସଙ୍କେତ ଏହି ପ୍ରସିଦ୍ଧ ମନ୍ଦିର ନିର୍ମାଣରେ ସମସ୍ତ ଭାରତୀୟଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

୫୫,୦୦୦ ବର୍ଗଫୁଟ୍‌ ପରିମିତ ଜମିରେ ଉକ୍ତ ମନ୍ଦିର ନିର୍ମାଣ ଚାଲିଛି। ଏହି ମନ୍ଦିର ଢାଞ୍ଚା ଭାରତୀୟ ମନ୍ଦିର ନିର୍ମାଣକାରୀ କାରିଗରମାନେ ପଥରଖଣ୍ଡରେ କାରୁକାର୍ଯ୍ୟ ଖୋଦନ କରିବେ। ସେଗୁଡ଼ିକୁ ନେଇ ‘ୟୁଏଇ’ରେ ଖଞ୍ଜାଯିବ। ଏହା ହେବ ମଧ୍ୟପ୍ରାଚ୍ୟରେ ପ୍ରଥମ ପାରମ୍ପରିକ ପ୍ରସ୍ତର ନିର୍ମିତ ହିନ୍ଦୁ ମନ୍ଦିର ।