ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଝାଡଖଣ୍ଡର ସୋରେନ୍ ସରକାରର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଆଗକୁ କଣ ହେବ ତାହା ଅସ୍ପଷ୍ଟ ରହିଥିବା ବେଳେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ଆଜି ଆସ୍ଥା ଭୋଟ୍ ଲୋଡିବେ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଜେପିକୁ ବ୍ୟାକଫୁଟରେ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି। ସେପଟେ ବିଧାନସଭା ଅଧିବେଶନରେ ସାମିଲ ହେବା ପାଇଁ ରାୟପୁରରେ ଥିବା ୟୁପିଏର ସମସ୍ତ ବିଧାୟକ ରାଞ୍ଚି ଫେରିଛନ୍ତି ।
ସୂଚନାଯୋଗ୍ୟ ଯେ, ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକଙ୍କୁ ରାୟପୁରରେ ରଖାଯାଇଥିଲା । ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ହେମନ୍ତ ସୋରେନ୍ । ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି । ହେଲେ ରାଜ୍ୟପାଳ ରମେଶ ବୈଶ ତା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ସେ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଜି ରାଜ୍ୟପାଳ ନିଜର ନିଷ୍ପତି ଶୁଣାଇ ସୋରେନଙ୍କୁ ଝଟକା ଦେଇପାରନ୍ତି । ନିର୍ବାଚନ କମିଶନ ଯେଉଁ ରିପୋର୍ଟ ଦେଇଛନ୍ତି ରାଜ୍ୟପାଳ ତାହାକୁ ସାର୍ବଜନୀନ କରି ସୋରେନଙ୍କ ସଦସ୍ୟତା ରଦ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
