ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରେ ‘ରକ୍ତ ଦାନ ଅମୃତ ମହୋତ୍ସବ’ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୭ ରେ ସାରା ଦେଶରେ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବାର ଯୋଜନା ରହିଛି । ଏହି ଅଭିଯାନ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି।

ଏହି ଚିଠିରେ କୁହାଯାଇଛି ଯେ, ଏହି ଅଭିଯାନ ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅର୍ଥାତ୍‌ ଅକ୍ଟୋବର ୧ ପର୍ଯ୍ୟନ୍ତ ଜାରି ରହିବ। ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ପଠାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ ଏହି ଅଭିଯାନର ସ୍ଲୋଗାନ ହେବ ରକ୍ତ ଦାନ ଏକତାର କାର୍ଯ୍ୟ। ଏହି ପ୍ରୟାସରେ ଯୋଗ ଦିଅନ୍ତୁ ଏବଂ ଜୀବନ ରକ୍ଷା କରନ୍ତୁ। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଅଭିଯାନ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି। ଏହା ଦ୍ବାରା ଏକ ଦକ୍ଷ ତଥା ପ୍ରଭାବଶାଳୀ ଜାତୀୟ ରକ୍ତ ବ୍ୟବସ୍ଥା ଏବଂ ଦେଶରେ ନିରାପଦ ରକ୍ତର ଠିକ ସମୟରେ ଉପଲବ୍ଧ ହେବା ବାଧ୍ୟତାମୂଳକ ହେବ ବୋଲି ଚିଠିରେ ଦର୍ଶାଯାଇଛି।